ହଟୁନି ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନା ଏଏସଆଇଙ୍କ ମୃତ୍ୟୁ ଉପରୁ ପରଦା । ଆସନ୍ତାକାଲି ବିଜେପିର ସୁନ୍ଦରଗଡ ବନ୍ଦ ଡାକରା । ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଲେ ଜୁଏଲ ଓରାମ

130

କନକ ବ୍ୟୁରୋ: ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନା ଏଏସଆଇ ଏ.ଏନ୍ ଲୁଗୁନଙ୍କ ସନ୍ଦେହଜନଙ୍କ ମୃତ୍ୟୁୁର ସିବିଆଇ ତଦନ୍ତ ଦାବି କରି ଆସନ୍ତାକାଲି ସୁନ୍ଦରଗଡ ବନ୍ଦ ଡାକରା ଦେଇଛି ବିଜେପି । ଦୋଷୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନେବାକୁ  ଦାବି କରିଛି ବିଜେପି । ଦଳ ଅଭିଯୋଗ କରିଛି, ରାଜ୍ୟର ବିଜେଡି ସରକାର ଆଦିବାସୀ ବିରୋଧୀ । ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ କାହିଁକି ହେଲା ତାହା ସ୍ପଷ୍ଟ କରିନାହାନ୍ତି ସରକାର । ୬ ଫୁଟ ପାଣି ଭିତରେ  ଜଣେ ମହିଳା ଅଧିକାରୀ ବୁଡି ପ୍ରାଣ ହରାଇବା ସନ୍ଦେହ ସୃଷ୍ଟି କରୁଛି । ତାଙ୍କ ଉପରେ ଯଦି ମାନସିକ ଚାପ ଥିଲା , ତାହା ହେଲେ ପ୍ରଶାସନ କାହିଁକି ପଦକ୍ଷେପ ନେଲା ନାହିଁ ବୋଲି ବିଜେପି ସାଂସଦ ଜୁଏଲ ଓରାମ ପ୍ରଶ୍ନ କରିଛନ୍ତି ।

ସେହିଭଳି  ଉଦିତନଗର ଥାନା ଏଏସଆଇ ଏ.ଏନ୍ ଲୁଗୁନଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛି ଦଳ । ଜୁଏଲ ଓରାମ ଅଭିଯୋଗ କରିଛନ୍ତି, ଯେଉଁମାନେ ସୁସ୍ମିତା ମିଞ୍ଜ ସହ ଥିଲେ ତାଙ୍କୁ  କାହିଁକି ସୁରକ୍ଷା ଦେଇ ରଖିଲେ ନାହିଁ ସରକାର ।  ବିଜେପି ରାଉରକେଲା ଏସପିଙ୍କୁ ଭେଟି ଘଟଣାର ତଦନ୍ତ ପାଇଁ ଦାବି କରିଥିଲା ।  କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ  ହୋଇନାହିଁ ।  ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ  ଦାବି କରିଛନ୍ତି ଜୁଏଲ ଓରାମ ।  ବର୍ତମାନ ସୁଦ୍ଧା ଦୁଇ ଅଧିକାରୀଙ୍କ ମୃତ୍ୟୁ ଉପରୁ ପରଦା ହଟିନଥିବାରୁ ତାତିଛି ବିଜେପି ।