ସୁନ୍ଦରଗଡରେ କରୋନାର ତୃତୀୟ ଲହରର ଆରମ୍ଭ ନେଇ ମିଳୁଛି କି ସଂକେତ ? ଇଣ୍ଡିଆନ୍ ମାଥମେଟିକାଲ ସାଇନ୍ସର ସୂଚନା, ୧କୁ ଟପିଗଲା ଆର ଭାଲ୍ୟୁ

1,112

କନକ ବ୍ୟୁରୋ : ସୁନ୍ଦରଗଡରେ କରୋନାର ତୃତୀୟ ଲହର ଆରମ୍ଭ ହୋଇସାରିଛି କି ? ରାଜ୍ୟରେ କରୋନାର ଆର ଭାଲ୍ୟୁକୁ ନେଇ ଯେଉଁ ତଥ୍ୟ ଆସିଛି, ସେଥିରୁ ଏଭଳି ସଂକେତ ମିଳୁଥିବା କୁହାଯାଉଛି । ଆର ଭାଲ୍ୟୁ ଅର୍ଥାତ ଜଣେ ଅନ୍ୟଜଣକୁ ସଂକ୍ରମିତ କରିବାର କ୍ଷମତା । ଚେନ୍ନାଇ ସ୍ଥିତ ଇଣ୍ଡିଆନ ମ୍ୟାଥମେଟିକାଲ ସାଇନ୍ସର ତଥ୍ୟ କହୁଛି, ସୁନ୍ଦରଗଡ ଜିଲ୍ଲାରେ ଗତ ୪ ତାରିଖରୁ ୧୫ ତାରିଖ ଭିତରେ ଆର ଭାଲ୍ୟୁ ୧.୧୩ ରହିଛି ।

ତେବେ ଏହାପୂର୍ବରୁ ଅର୍ଥାତ ଜୁନ୍ ୩୦ରୁ ଜୁଲାଇ ୪ ମଧ୍ୟରେ ଏହା ଶୂନ ଦଶମିକ ୮୨ ଥିଲା । ବିଶେଷଜ୍ଞଙ୍କ ମତରେ ଆର ଭାଲ୍ୟୁ ୧ ଉପରେ ରହିଲେ ସଂକ୍ରମଣ ବଢିବାର ଆଶଙ୍କା ରହିଥାଏ । ସୁନ୍ଦରଗଡରେ ଏହା ୧ ଉପରେ ରହିବା ଅର୍ଥ, ରାଜ୍ୟରେ କରୋନାର ତୃତୀୟ ଲହର ଆରମ୍ଭ ହୋଇସାରିଥିବା ନେଇ ସଂକେତ ଦେଉଛି । ତେବେ ତୃତୀୟ ଲହର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ସିଡିଏମଓ । ତୃତୀୟ ଲହରରେ ଶିଶୁ ଓ ଗର୍ଭବତୀ ଅଧିକ ସଂକ୍ରମିତ ହେବା ଆଶଙ୍କା କରି ଡାକ୍ତରମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।

ଦ୍ୱିତୀୟ ଲହର ସମୟରେ ପଡୋଶୀ ଛତିଶଗଡ ଓ ଝାଡଖଣ୍ଡରୁ ହିଁ ଆମ ରାଜ୍ୟକୁ ବ୍ୟାପିଥିଲା । ତେଣୁ ସୀମାନ୍ତ ରାଜ୍ୟରେ ସଂକ୍ରମଣ ବଢିଚାଲିଥିବାରୁ ଏବେ ତୃତୀୟ ଲହର ମୁକାବିଲା ପାଇଁ ସେହି ଦିଗରେ ସୀମାନ୍ତ ଜିଲ୍ଲା ପ୍ରଶାସନ ଗୁଡିକ କାମ କରୁଥିବା କହିଛନ୍ତି ।