କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ କୁବେର ଅଫିସର ତଥା ସୁନ୍ଦରଗଡ଼ ଏଡିଏମ ବିଶ୍ୱଜିତ ମହାପାତ୍ରଙ୍କୁ ଆଜି ଜେରା କରାଯିବ । ଏଡିଏମ ବିଶ୍ୱଜିତ ମହାପାତ୍ରଙ୍କ ସହ ସୁନ୍ଦରଗଡ଼ରେ ପହଂଚିଛନ୍ତି ଭିଜିଲାନ୍ସ ଅଧିକାରୀ । ଠାବ ଅମାପ ସମ୍ପତିର ହିସାବ ମାଗିବେ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି ବିଶ୍ୱଜିତଙ୍କ ଘରେ ଏବଂ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

Advertisment

ଚଢ଼ାଉରେ ଭିଜିଲାନ୍ସ ହାତରେ ଲାଗିଥିଲା ସରକାରୀ ବାବୁଙ୍କ ପୁଳା ପୁଳା ଟଙ୍କା । ୧୬ ଦିନ ପରେ ଅବସର ନେବାକୁ ଥିବା ବିଶ୍ୱଜିତଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ ଆସିବା ପରେ ଗତକାଲି ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଭୁବନେଶ୍ୱର ଉପକଣ୍ଠ ନହରକଂଟାରେ ୮୯ ଲକ୍ଷ ଟଙ୍କା ବିଲ୍ଡିଂ, ରସୁଲଗଡ଼ ସମେତ ଅନ୍ୟାନ୍ୟ ସ୍ଥାନରେ ସମ୍ପତି ଠାବ ହୋଇଛି । ଏହାବ୍ୟତୀତ ଭୁବନେଶ୍ବର ଓ ଜଗତସିଂହପୁରରେ ମୋଟ୍‌ ୧୦ଟି ପ୍ଲଟ୍ ରହିଛି । ଏସବୁର ମୂଲ୍ୟ ହିସାବ କରାଯାଉଛି, ତାହା କୋଟି କୋଟି ହେବ ବୋଲି ଅନୁମାନ କରାଯାଉଛି ।

ଏହାବ୍ୟତୀତ ୭ଟି ବ୍ୟାଙ୍କ୍‌ରେ ମୋଟ୍‌ ୧କୋଟି ୯୦ ଲକ୍ଷ ୫୭ହଜାର ୯୮୩ ଟଙ୍କା ଜମା ଅଛି । ସେ ପ୍ରାୟ ୧୦ଲକ୍ଷ ୬୦ ହଜାର ଟଙ୍କା ୭ଟି ବିମା ପଲିସିରେ ଜମା କରିଛନ୍ତି । ଏହାବ୍ୟତୀତ ମ୍ୟୁଚୁଆଲ ଫଣ୍ଡରେ ୩୯ ଲକ୍ଷ ଓ ଏନ୍‌ପିଏସ୍‌ରେ ୨ ଲକ୍ଷ ପୁଞ୍ଜି ବିନିଯୋଗ କରିଛନ୍ତି । ଚଢ଼ାଉରେ ୩ ଲକ୍ଷ ନଗଦ ଟଙ୍କା ଓ ୩୫୦ ଗ୍ରାମ ସୁନା ବାହାରିଛି । ଓଡିଶା ଭିଜିଲାନ୍ସର ୮ ଜଣ ଡିଏସପି, ୨ ଇନିସ୍ପେକ୍ଟର, ୫ ଏଏସଆଇ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚଢାଉ କରିଥିଲା ।