କନକ ବ୍ୟୁରୋ : କରୋନା ନାମକ ଭୂତାଣୁ ଭୟ ଏବେ ଚାରିଆଡେ । ବର୍ଷେ ତଳେ ସାରା ବିଶ୍ୱରେ ବିଭିଷୀକା କରିଥିଲା । ଏବେ ପୁଣି ସୁନାମୀ ଭଳି ମାଡି ଚାଲିଛି ଏହି ଅଜଣା ରୋଗ । ସାରା ରାଜ୍ୟରେ ଭୟ ଆଉ ଭୟ । କରୋନାକୁ ନେଇ ଚିନ୍ତାରେ ବଂଚୁଛି ଏବେ ମଣିଷ । ଗତ ୨୪ ଘଂଟାରେ ରାଜ୍ୟରେ ୪ ହଜାର ୪୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରେ ୭୨୨ ଜଣ ସଂକ୍ରମିତ ଅଛନ୍ତି । ଆଉ ଏହାରି ଭିତରେ ଜୀବନ ଆଉ ଜୀବିକାକୁ ନେଇ ଚିନ୍ତାରେ ପଡି ଯାଇଛି ମଣିଷ । ମଶାଣିର ଦୃଶ୍ୟ ମନରେ କୋକୁଆ ଭୟ ଜାତ କରୁଥିବା ବେଳେ କାହାକୁ ଛାଡିବ ଆଉ କାହାକୁ ଆପଣାଇବ ତାକୁ ନେଇ ଦ୍ୱନ୍ଦ ବଢୁଛି । ହେଲେ ଲୋକମାନଙ୍କର ବେପରୁଆ ନୀତି ଜାରି ରହିଛି । ସରକାରଙ୍କ ସଚେତନତା କଠୋର କଟକଣା, ସବୁ ଆଢୁଆଳରେ ଲୋକମାନେ ବେପରୁଆ ଭାବେ ରାସ୍ତାରେ ବୁଲୁଛନ୍ତି । କିଏ ମାସ୍କକୁ ନାକତଳେ ପିନ୍ଧିଛି ତ କିଏ ମାସ୍କ ବାବଦରେ ପଚାରିବାରୁ ବିଭିନ୍ନ ବାହାନା କରି ଖସିଯିବାକୁ ବସିଛି । ଏସବୁରୁ ନିବୃତ ରହି ନିଜ ଜୀବନକୁ ସୁରକ୍ଷିତ ରଖିବା ସହ ସଂକ୍ରମଣ ରୋକିବାରେ ସହାୟତା କରିବାକୁ ସୁନ୍ଦରଗଡବାସୀଙ୍କୁ ନେହୁରା ହୋଇଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ସେ କହିଛନ୍ତି କି ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ । ଅଯଥାରେ ବାହାରେ ବୁଲି ଘରକୁ କରୋନା ନିଅନ୍ତୁ ନାହିଁ କି ସଂକ୍ରମିତ ସଂଖ୍ୟା ବଢାନ୍ତୁ ନାହିଁ ।