ଗୁଗୁଲ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି ବଜାଇଲେ ସିଇଓ ସୁନ୍ଦର ପିଚାଇ: ଦକ୍ଷତା ବୃଦ୍ଧି କର, ନହେଲେ ବିପଦରେ ଚାକିରି

253

କନକ ବ୍ୟୁରୋ: ଗୁଗୁଲ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛନ୍ତି ସିଇଓ ସୁନ୍ଦର ପିଚାଇ । ନିଜ କର୍ମଚାରୀଙ୍କ କାର୍ଯ୍ୟରେ ସେ ଖୁସି ନଥିବା ସେ ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ କର୍ମଚାରୀମାନଙ୍କୁ ସେ କାର୍ଯ୍ୟ ଦକ୍ଷତା ବଢାଇବାକୁ ମଧ୍ୟ ତାଗିତ କରିଛନ୍ତି । ୨୦୨୨ ଦ୍ୱିତୀୟ କ୍ୱାଟରରେ ଗୁଗୁଲ ରାଜସ୍ୱ କମ ରହିଥିବାରୁ ସୁନ୍ଦର ପିଚାଇ କର୍ମଚାରୀଙ୍କୁ ଏମିତି ଚେତାବନୀ ଦେଇଛନ୍ତି । ସୁନ୍ଦର ପିଚାଇ କହିଛନ୍ତି ଯେ ଗୁଗୁଲରେ ଅନେକ କର୍ମଚାରୀ ଅଛନ୍ତି ହେଲେ ସେମାନଙ୍କ ମଧ୍ୟରୁ କିଛି କର୍ମଚାରୀ ସଠିକ ଭାବେ କାମ କରୁ ନାହାନ୍ତି ।

ସୁନ୍ଦର ପିଚାଇ କହିଛନ୍ତି, କମ୍ପାନୀ କିଭଳି ଭଲ ଫଳାଫଳ କରିବ ସେ ବିଷୟରେ ଆମେ କର୍ମଚାରୀଙ୍କ ସହ ଆଲୋଚନା କରି ଉପାୟ ମାଗିବାକୁ ଚାହୁଁଛୁ । ଚିନ୍ତା କରିବାର କାରଣ ହେଉଛି ଆମେ ଯେଉଁ ସ୍ଥାନରେ ରହିବା କଥା ଏବେ ସେ ସ୍ଥାନରେ ନାହୁଁ । ଆମେ ସ୍ପଷ୍ଟ ହୋଇ ସାରିଲୁଣି କି ଆମେ ଆଗକୁ ଏତ ଅନିଶ୍ଚିତତା ସହ ଏକ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଯାଉଛୁ ।

ତେବେ କମ୍ପାନୀ ଗତ ଜୁଲାଇ ମାସରେ ୨ ସପ୍ତାହ ପାଇଁ ନିଯୁକ୍ତିକୁ ବନ୍ଦ କରିଥିଲା । କାରଣ କମ୍ପାନୀର ହେଡ କାଉଣ୍ଟ ଓ ଭବିଷ୍ୟତକୁ ଅନୁଧ୍ୟାନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଆଗାମୀ ବର୍ଷ ମଧ୍ୟ କମ୍ପାନୀ ନିଜ ନିଯୁକ୍ତି ପ୍ରକ୍ରିୟାକୁ ଧିମା କରିବ ବୋଲି ଚିନ୍ତା କରିଛି ।