ଚର୍ଚ୍ଚାରେ ହକିର ଏନ୍ତୁଡିଶାଳ ସୁନ୍ଦରଗଡର ସଉନାମୁରା ଗାଁ: ଏଇଠି ଜନ୍ମ ହୋଇଛନ୍ତି ବଡ ବଡ ଖେଳାଳି

266

କନକ ବ୍ୟୁରୋ: ଯେଉଁମାନେ କୁହନ୍ତି, ବଣର ମଲ୍ଲି ବଣରେ ଫୁଟି ମଳିଯାଏ । ହୁଏତ ସେମାନେ ସୁନ୍ଦରଗଡ଼ର ସୁନା ଗାଁ ସଉନାମରା କାହାଣୀ ଜାଣି ନାହାଁନ୍ତି । କାରଣ, ଏଠି ମଲ୍ଲି ପଲ୍ଲୀରେ ଫୁଟେ ସତ, କିନ୍ତୁ ତା’ର ବାସରେ ସାରା ଭାରତ ଚହଟେ ।

ଇଏ ହେଉଛି ସେହି ଗାଁ, ଯେଉଁ ଗାଁ ଦାଣ୍ଡରେ ଦିନେ ଦିଲ୍ଲୀପ ତିର୍କୀଙ୍କ ଭଳି ଖେଳାଳି କାଠ ଫାଳିଆ ଧରି ହକି ଖେଳୁଥିଲେ । କେବଳ ଦିଲ୍ଲୀପ କାହିଁକି ଅମିତ ରୋହିଦାସ , ସୁଭଦ୍ରା ପ୍ରଧାନ, ଦୀପସାନ ତିର୍କୀ ଭଳି ଉଦୟମାନଙ୍କ ମୁଳଦୁଆ ଏହି ଗାଁରୁ ପଡ଼ିଥିଲା । ହାତରେ ନା ଥିଲା ଅତ୍ୟାଧୁନିକ ହକି ବାଡି, ନା ଥିଲା ଖେଳିବାକୁ ଆଷ୍ଟ୍ରୋଟର୍ଫ । ହାତ ତିଆରି ବଙ୍କାକାଠ, ବାଉଁଶ ଫାଳିଆ ଧରି ଗାଁ ପଡିଆରେ ସେମାନେ ଶିଖି ଥିଲେ ହକିର କୌଶଳ ।

ହକି ଷ୍ଟାର ଅମିତ ରୋହିଦାସଙ୍କ କାହାଣୀ ବି ଥିଲା ସମାନ । ପିଲାଦିନେ ଅମିତ ଅର୍ଥ ଅଭାବରୁ ହକି ବାଡି କି ବଲ୍ କିଣିବା ସମ୍ଭବ ନଥିବାରୁ ବାଉଁଶବାଉଁଶ ଓ କାଠଫାଳିଆରେ ହକି ଅଭ୍ୟାସ କରୁଥିଲେ । ହେଲେ, ୨୦୦୪ରେ ପାନପୋଷ କ୍ରୀଡା ଛାତ୍ରାବାସରେ ଯୋଗ ଦେବା ପରେ ବଦଳିିଯାଇଥିଲା କାହାଣୀ । ଏମିତି କି ଅଲମ୍ପିକ୍ସ ପଦକ ହାସଲ କରିଥିଲେ ଅମିତ ରୋହିଦାସ ।

ଏସବୁ ଭିତରେ ହକିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ, ହକିର ଏନ୍ତୁଡିଶାଳରେ ଏକ ନୂଆ ଉତ୍ସାହ ଆଣି ଦେଇଛି । ସୁନ୍ଦରଗଡ ଜିଲ୍ଲାର ୧୭ଟି ବ୍ଲକରେ ୧୭ଟି ଅଷ୍ଟ୍ରୋଟର୍ଫ ପଡ଼ିିଆ କରିସାରିଛନ୍ତି । ଏବେ ସଉନାମୁରା ପଡିଆରେ ଲାଗିଲାଣି ହକି ଆଷ୍ଟ୍ରୋଟର୍ଫ । ଏଣିକି ଗାଁ ପିଲା ଧୂଳିଦାଣ୍ଡ ଓ ଗୋଡିମାଟି ର ପଡିଆ ଛାଡି ଏହି ଆଷ୍ଟ୍ରୋଟର୍ଫ ରେ ହକି ଅଭ୍ୟାସ କରିବେ ।