କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ଇସ୍ରାଏଲରେ ପହଞ୍ଚିଛନ୍ତି ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ହମାସ ଓ ଇସ୍ରାଏଲ ଯୁଦ୍ଧର ଘନଘଟା ଭିତରେ ଗୁରୁବାର ଇସ୍ରାଏଲ ମାଟିରେ ପାଦ ଥାପିଥିବା ସୁନକ କହିଛନ୍ତି,‘ଆତଙ୍କବାଦ ବିରୋଧରେ ଆମେ ଆପଣଙ୍କ ସହ ଛିଡ଼ା ହୋଇଛୁ । ଏଭଳି ଭୟଙ୍କର ସ୍ଥିତିରେ ଇସ୍ରାଏଲ ନାଗରିକଙ୍କ ସହ ରହିଛି ବ୍ରିଟେନ୍ । ଗାଜାରେ ଯାହା ପରିସ୍ଥିତି ରହିଛି, ଏଥିପାଇଁ ହମାସ ଦାୟୀ । ସେଠାରେ ଥିବା ପାଲେଷ୍ଟାଇନ୍ ନାଗରିକ ହମସା ପାଇଁ ବଳି ପଡୁଛନ୍ତି । ତେବେ ମାନବିକତା ଦୃଷ୍ଟିରୁ ଗାଜାକୁ ଆବଶ୍ୟକ ସହାୟତା ଯୋଗାଇଦେବା ଜରୁରୀ ।’

Advertisment

ଅର୍ଥାତ ପାଲେଷ୍ଟାଇନର ବିଦ୍ରୋହୀ ଗୋଷ୍ଠୀ ହମାସ୍ ବିରୋଧରେ ଇସ୍ରାଏଲର ରକ୍ତାକ୍ତ ସଂଘର୍ଷକୁ ଆତଙ୍କବାଦୀ ବିରୋଧୀ ଲଢେଇ ବୋଲି କହିଛି ଇଂଲଣ୍ଡ । ଯାହା ବେଞ୍ଜାମିନ ନେତାନ୍ୟାହୁଙ୍କ ମନୋବଳକୁ ଆହୁରି ବଢାଇ ଦେଇଛି । ତେବେ ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଇସ୍ରାଏଲକୁ ସମର୍ଥନ ଜଣାଇଥିଲେ । ହମାସ ବିରୋଧରେ ଇସ୍ରାଏଲର ଯୁଦ୍ଧକୁ ଆତଙ୍କବାଦୀ ବିରୋଧୀ ଲଢେଇ ବୋଲି ଘୋଷଣା କରିଥିଲେ ।

ବୁଧବାର ଗାଜା ପଟ୍ଟିରେ ଥିବା ଅଲ-ଅହଲି ହସ୍ପିଟାଲରେ ରକେଟ୍ ମାଡ ହୋଇଥିଲା । ବହୁ ସଂଖ୍ୟାରେ ରୋଗୀ ଓ ସାଧାରଣ ନାଗରିକ ହସ୍ପିଟାଲରେ ଆଶ୍ରୟ ନେଇଥିବା ବେଳେ ଏୟାର ଷ୍ଟ୍ରାଇକ୍ ଯୋଗୁଁ ୫୦୦ରୁ ଅଧିକ ନୀରିହ ଲୋକଙ୍କ ମୃତ୍ୟୁ ହୋଇଥିଲା । ଯଦିଓ ଏଥିପାଇଁ ଇସଲାମିକ ଜିହାଦ ଗୋଷ୍ଠୀ ଦାୟୀ ବୋଲି ଦାବି କରିଆସୁଛି ଆଇଡିଏଫ, ତଥାପି ମାନବିକତା ଦୃଷ୍ଟିରୁ ଗାଜାବାସୀଙ୍କ ସହୟତା ପାଇଁ ଇଜିପ୍ଟକୁ ଅନୁମତି ଦେଇଛି ଇସ୍ରାଏଲ ।

କୁହାଯାଉଛି ଏଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ରାଜି କରାଇଛନ୍ତି । ଇଜିପ୍ଟ କେବଳ ଖାଦ୍ୟ, ପାଣି ଓ ଔଷଧ ଯୋଗାଇଦେବାକୁ ଅନୁମତି ଦେଇଛି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ।

ତୁହାକୁ ତୁହା ମିସାଇଲ ମାଡ, ଆକ୍ରମଣ ଭିତରେ ଗାଜାରେ ହାହାକାର ସ୍ଥିତି ଦେଖିବାକୁ ମିଳିଛି । ଗଲ୍ଫ ନ୍ୟୁଜର ରିପୋର୍ଟ ଅନୁସାରେ ଗାଜାର ଲୋକେ ଏବେ କେବଳ ବଞ୍ଚିରହିବା ପାଇଁ ଦିନ ରାତି ସଂଘର୍ଷ କରୁଛନ୍ତି । ଅଧିକାଂଶ ଲୋକଙ୍କ ପାଖରେ ରହିବାକୁ ଘର ନାହିଁ । ରାସ୍ତାରେ ଜରି ପାଲ ଟାଣି ରାତି ବିତାଉଛନ୍ତି । ନା ଲୋକଙ୍କ ପାଖରେ ଅଛି ଖାଦ୍ୟ, ନା ପାଣି । ବିନା ବିଜୁଳିରେ ଡାକ୍ତରଖାନା ବି ଠିକରେ ଚାଲି ପାରୁନି କି ରୋଗୀ ସେବା ହୋଇ ପାରୁନାହିଁ । ସେପଟେ ହମାସକୁ ସମର୍ଥନ କରୁଥିବା ଲେବାନନର ଆତଙ୍କବାଦୀ ସଙ୍ଗଠନ ହେଜବୁଲ୍ଲା ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ ସେନା । ବୁଧବାର ବିଳମ୍ବିତ ରାତିରେ ହେଜବୁଲ୍ଲାର ବିଭିନ୍ନ ଶିବିର ଉପରେ ମିଜାଇଲ ମାଡ କରିଛି । ଏଥିରେ ଜଣେ କୁଖ୍ୟାତ ଆତଙ୍କୀ ନିପାତ ହୋଇଥିବା ଦାବି କରିଛି ଆଇଡିଏଫ୍ । ସେପଟେ ୱେଷ୍ଟବ୍ୟାଙ୍କରେ ଥିବା ପାଲେଷ୍ଟାଇନ୍ ନାଗରିକଙ୍କ ଉପରେ କଡା ନଜର ରଖାଯାଉଛି । ଏମାନଙ୍କ ଭିତରେ ବି ହମାସ ଆତଙ୍କବାଦୀ ରହିଥିବା ଦାବି କରୁଛି ଇସ୍ରାଏଲ ସେନା ।