ଜୀବନ ଯନ୍ତ୍ରଣାର ଆଉ ଏକ କାହାଣୀ: ଭୁଶୁଡି ପଡିଲାଣି ଜୀବନର ଭିତ୍ତିପ୍ରସ୍ତର...କେବଳ ହାଡ କେଇଖଣ୍ଡ ବୋହୁଛି ଶରୀରର ବୋଝ...ନା ଘର ଅଛି ନା ଅଛି ଜାଗା...ଦୁର୍ବିସହ ହୋଇପଡିଛି ରଘୁନାଥଙ୍କ ଜୀବନ

ଜୀବନ ଯନ୍ତ୍ରଣାର ଆଉ ଏକ କାହାଣୀ: ଭୁଶୁଡି ପଡିଲାଣି ଜୀବନର ଭିତ୍ତିପ୍ରସ୍ତର...କେବଳ ହାଡ କେଇଖଣ୍ଡ ବୋହୁଛି ଶରୀରର ବୋଝ...ନା ଘର ଅଛି ନା ଅଛି ଜାଗା...ଦୁର୍ବିସହ ହୋଇପଡିଛି ରଘୁନାଥଙ୍କ ଜୀବନ

ଜୀବନ ଯନ୍ତ୍ରଣାର ଆଉ ଏକ କାହାଣୀ

କଷ୍ଟରେ ଛଟପଟ ହେଉଛନ୍ତି ରଘୁନାଥ

କେମିତି ଗଡିବ ଜୀବନ ରଥ,

ବୁଝିପାରୁନାହାନ୍ତି ଅସହାୟ ରଘୁନାଥ

ସରକାରୀ ନିର୍ଦ୍ଦେଶନାମା ପାଣିର ଗାର

ଜୀବନ ଥିଲେ ବି ସବୁ ଅସାର

କେବେ ମିଳିବ ସହାୟତା, ଅପେକ୍ଷାରେ ରଘୁନାଥ...

କନକ ବ୍ୟୁରୋ: ଆଉ ବଂଚିବାକୁ ଇଚ୍ଛା ନାହିଁ । ଜୀବନ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ କାଟିବାକୁ ଇଚ୍ଛା ନାହିଁ । ଶରୀର ଜରାଜୀର୍ଣ୍ଣ । କେବଳ ହାଡ କେଇଖଣ୍ଡ ବୋହୁଛି ଶରୀରର ବୋଝ । ନା ଘର ଅଛି ନା ଅଛି ଜାଗା । ପାଖରେ ପଇସା ବି ନାହିଁ । ଆଗକୁ ପାଦ ପକାଇବା ପାଇଁ ସାହାରା ବି କେହିନାହିଁ । କଷ୍ଟ ଆଉ ଯନ୍ତ୍ରଣା ଏମିତି ମାଡିବସିଛି ଯେ, ଆଉ ଆଗକୁ ଗଡି ପାରୁନି ଜୀବନ ଚକ । ହେଲେ ସବୁ ଦେଖି ନିରବଦ୍ରଷ୍ଟା ପାଲଟିଛନ୍ତି ସରକାର ।
publive-image

ଏ କାହାଣୀ ହେଉଛି ରଘୁନାଥ ମହାନ୍ତିଙ୍କର । ଏକ ଏମିତି କାହାଣୀ ଯାହା ଶୁଣିଲେ ଆପଣଙ୍କ ଆଖି ଛଳ ଛଳ ହୋଇଯିବ । ସତେ ଯେମିତି ଦୁନିଆର ସବୁ ଦୁଃଖ ଆଉ ଯନ୍ତ୍ରଣା ଠାରୁ ବଳିଯାଇଛି ରଘୁନାଥଙ୍କ ଯନ୍ତ୍ରଣା । ପ୍ରଥମେ କୃଷ୍ଠ ରୋଗରେ ଆକ୍ରାନ୍ତ ହେଲେ ରଘୁନାଥ । ଉଭୟ ହାତ ଓ ଗୋଡ ନଷ୍ଟ ହୋଇଗଲା । ଦୁର୍ବିସହ ହୋଇପଡିଲା ରଘୁନାଥଙ୍କ ଜୀବନ । କୃଷ୍ଠ ରୋଗରେ ଶିକାର ହୋଇଛନ୍ତି ବୋଲି ଗାଁଲୋକେ ବାସନ୍ଦ କରିଦେଲେ । ଆଉ ଦୀର୍ଘ ଦୁଇ ଦଶନ୍ଧି ହେବ ଘରକୁ ଫେରିନାହାନ୍ତି ରଘୁନାଥ । ପିଲାଛୁଆ, ସ୍ତ୍ରୀ ରହି ଯାଇଛନ୍ତି ବହୁ ଦୂରରେ । ଏବେ ସ୍ଥାନୀୟ ଅଂଚଳରେ ନିଃସଙ୍ଗ ଜୀବନ ବିତାଉଛନ୍ତି ରଘୁନାଥ । ରଘୁନାଥଙ୍କ ବର୍ତମାନ ବୟସ ହେବ ପାଖାପାଖି ୭୬ ବର୍ଷ । ନା ଘର ଅଛି ନା ଜାଗା ଖଣ୍ଡିଏ ଅଛି । ନା ପାଖରେ ପଇସା ଅଛି ନା ଆଗକୁ ପାଦ ପକାଇବାକୁ କେହି ସାହାରା ଅଛନ୍ତି । ଆଙ୍ଗୁଠିବିହୀନ ପାଦ ଦୁଇଟି ବି ଆଉ ତାଙ୍କୁ ବଳ ଦେଉନି । ଆଗକୁ ବଢିବା ପାଇଁ ଦେହରେ ଜୁ ବି ନାହିଁ । ଗୋଟିରେ ପାଦ ଉପରେ ଗଛ ପଡିଯିବା ପରେ ତାହା ଆଉ ଭଲ ହେଉନି । ପାଦ ପକାଇଲେ ଯନ୍ତ୍ରଣାରେ ଜୀବନ ଛଟପଟ । ଗୋଡ ଭଲ କରିବାକୁ ଯେତେ ଚିକିତ୍ସା କଲେ ବି ସୁସ୍ଥ ହୋଇପାରୁନାହାନ୍ତି ରଘୁନାଥ । କାମ ଦେଉନି ଡାକ୍ତରବାବୁଙ୍କ ଔଷଧ ।

publive-image

ଗୋଟିଏ ପଟେ ଭୋକର ଜ୍ୱାଳା, ଅନ୍ୟପଟେ ଦେହର ଯନ୍ତ୍ରଣା । ବଂଚିବେ ତ କେମିତି ବଂଚିବେ । ଏଭଳି ସ୍ଥିତିରେ ଏକମ୍ବା ଅଂଚଳରେ ଯେଉଁ କୁଡିଆ ଘରେ ରଘୁନାଥ ଆଶ୍ରୟ ନେଇଥିଲେ ତାକୁ ଖାଲି କରିଦେବାକୁ ନିର୍ଦ୍ଦେଶ ଦେଇଥିଲେ ଘରେ ମାଲିକ । ମାସକରେ ୧୦ ଦିନ ବି ଶୁଖିଲା ପେଟ ଚାଖଣ୍ଡକୁ ଆହାର ମୁଠେ ମିଳିବା କଷ୍ଟକର ହୋଇପଡିଛି ତାଙ୍କ ପାଇଁ । ତଥାପି ସରକାରଙ୍କ ନିଦ ଭାଙ୍ଗିନି ।

publive-image

ସରକାରଙ୍କ ପାଖକୁ ଧାଇଁ ଧାଇଁ ନିରାଶ ହୋଇଗଲେଣି ରଘୁନାଥ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଂଚି ଗଲାଣି କଥା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳ୍ୟର ନିର୍ଦ୍ଦେଶରେ ରଘୁନାଥଙ୍କୁ ତରନ୍ତ ଘର ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଆସିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବି ଜିଲ୍ଲାପାଳଙ୍କୁ ଆସିଥିଲା ସ୍ୱତନ୍ତ୍ର ନିର୍ଦ୍ଦେଶ । କିନ୍ତୁ କୌଣସି ସୁଫଳ ମିଳିଲାନି । ଦୀର୍ଘ ଦେଢ ବର୍ଷ ଭିତରେ କେତେ ବିଡିଓ ଆସି ବଦଳି ହେଲେଣି କିନ୍ତୁ ରଘୁନାଥଙ୍କ ପାଇଁ କିଛି ବି ପଦକ୍ଷେପ ନିଆଯାଇନି । ନା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲା ନା ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ । କେବଳ ରଘୁନାଥଙ୍କୁ ଯଦି କିଛି ମିଳିଛି ତାହା ହେଲା, ଅହସ୍ୟ ଯନ୍ତ୍ରଣା । କେବଳ ଦୁଇଟି ଆଶାବାଡି ରଘୁନାଥଙ୍କୁ କେଇପାଦ ଆଗେଇନେବାରେ ସହାୟକ ହୋଇଛି । ସରକାର ଯୋଗାଉଥିବା କେଇ କେଜି ଚାଉଳ ଓ ୫ ଶହ ଟଙ୍କା ଭତାରେ ବିତୁଛି ଜୀବନ । କିନ୍ତୁ ଅସହାୟ ରଘୁନାଥଙ୍କୁ ଘର ଖଣ୍ଡିଏ ମିଳୁପାରୁନାହିଁ । ରଘୁନାଥଙ୍କ କଥା ଦେଖିଲେ ଲାଗୁଛି ସତେ ଯେମିତି ସରକାରଙ୍କ ଘର ଯୋଗାଇବାର ଯୋଜନା ଏଠି ଫେଲ ମାରିଛି । କେବଳ ଏତିକି କୁହାଯାଇପାରେ, ରଘୁନାଥଙ୍କ ଯନ୍ତ୍ରଣାକୁ ଅନୁଭବ କରି ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇବା ପାଇଁ ଉଦ୍ୟମ ଆରମ୍ଭ ହେଉ । ତେବେ ଯାଇ କହିହେବ ଏବେବି ବଂଚିଛି ମାନବିକାତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe