ସୁନା ଫରୁଆ: ଏଇ ମାସ ୮ତାରିଖରେ ମଞ୍ଜରୀରେ..

96

ମନୋରଞ୍ଜନ ଚ୍ୟାନେଲ ମଞ୍ଜରୀରେ ପ୍ରସାରିତ ହେବାକୁ ଯାଉଛି ଆଉ ଗୋଟିଏ ନୂଆ ମେଗା ଧାରାବାହିକ ‘ସୁନା ଫରୁଆ’ । ପ୍ରେମ ଓ ପ୍ରତିଶୋଧର ଭିତ୍ତିଭୂମି ଉପରେ କଳ୍ପିତ ଏଇ କାହାଣୀରେ ଓଡିଆ ଦର୍ଶକମାନଙ୍କୁ ଏକ ଭିନ୍ନ ସ୍ୱାଦର କାହାଣୀ ଦେଖିବାକୁ ମିଳିବ ଯାହାର ପୃଷ୍ଠଭୂମି ଶହେ ବର୍ଷ ତଳର ଏକ ଘଟଣା ଓ ତା’ସହିତ ବର୍ତ୍ତମାନ ସମୟରେ ଚରିତ୍ରମାନଙ୍କର ସମ୍ପର୍କକୁ ନେଇ ଚିତ୍ରିତ କରାଯାଇଛି । ଏହି ଧାରାବାହିକଟିର ମୁଖ୍ୟ ଚରିତ୍ର ଭାବରେ ଦର୍ଶକମାନେ ଅନେକ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ନିଖୁଣ ଅଭିନୟ ଦେଖିବାର ସୁଯୋଗ ପାଇବେ ।
ପ୍ରତ୍ନତତ୍ତ୍ୱ ଓ କୀର୍ତ୍ତିରାଜି ବିଭାଗର ଛାତ୍ରୀ ତଥା କାହାଣୀର ନାୟିକା ଆରାଧ୍ୟା, ନିଜ ସହପାଠୀ ସହ ଏକ ପ୍ରାଚୀନ ମନ୍ଦିରର ତଥ୍ୟ ସଂଗ୍ରହ କଲାବେଳେ ଆକର୍ଷିତ ହୋଇଯାଏ ଏକ ଭଗ୍ନ ପ୍ରସ୍ତର ମୂର୍ତ୍ତି ଆଡକୁ, ଆଉ ତାକୁ ମନେ ହୁଏ ଯେମିତି ତାର ଏହି ପରିବେଶ ସହିତ ତା’ର କିଛି ଅଦ୍ଭୁତ ସମ୍ପର୍କ ରହିଛି, ଯାହାକୁ ସେ ବାରମ୍ବାର ଅନୁଭବ କରିପାରୁଛି କିନ୍ତୁ ବ୍ୟାଖ୍ୟା କରିପାରୁନି । ଏହି ପୁରୁଣା ମନ୍ଦିର ତଥା ଭଗ୍ନ ପ୍ରସ୍ତର ମୂର୍ତ୍ତି ଭିତରେ ଲୁଚି ରହିଛି ମେଗା ଧାରାବାହିକ ‘ସୁନା ଫରୁଆ’ର ସୁନ୍ଦର କାହାଣୀ । ପୂର୍ବ ଜନ୍ମ ଓ ପର ଜନ୍ମରେ ବିଶ୍ୱାସ କରନ୍ତି କାହାଣୀ’ର ଲେଖକ ଓ ନିର୍ଦ୍ଦେଶକ । ଏହି ଧାରାବାହିକ’ର ମୁଖ୍ୟ ଚରିତ୍ରରେ ଅଭିନୟ ଉଶସୀ ମିଶ୍ର, ସୁଲଗ୍ନା, ବିକ୍ରମ ଓ ଚୌଧୁରୀ ବିକାଶ ଦାସଙ୍କ ଭଳି ଅନେକ ସୁନାମଧନ୍ୟ କଳାକାର । ଓଡିଆ ଦର୍ଶକମାନେ ମଞ୍ଜରୀର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡିକ ଭଳି ଏହାକୁ ମଧ୍ୟ ଚାନେଲ’ର ୟୁଟ୍ୟୁବ୍ ପ୍ଲାଟଫର୍ମରେ ଦେଖିପାରିବେ । ପୂର୍ବ ଧାରାବାହିକ ଗୁଡିକ ଭଳି ଏହି ନୂଆ ମେଗା ଧାରାବାହିକ କୁ ଓଡିଆ ଦର୍ଶକମାନେ ପସନ୍ଦ କରନ୍ତି ବୋଲି ଚାନେଲ ପକ୍ଷରୁ ଆଶା କରାଯାଇଛି ।