ଆଜି ସୁନାବେଶ : ମହଣ ମହଣ ସୁନାରେ ଆଭୁଷିତ ହୋଇ ରଥ ଉପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି

310

କନକ ବ୍ୟୁରୋ : ଜନ୍ମବେଦିରେ ନବଦିନାତ୍ମକ ଲୀଳା ସାରି ଖରା-ବର୍ଷାର ଲୁଚକାଳି ଖେଳ ଭିତରେ ବାହୁଡ଼ିଛନ୍ତି ଲୀଳାମୟ କାଳିଆ ସାଆନ୍ତ। ବଡ଼ଦାଣ୍ଡରେ ପୁଣିଥରେ ଗଡ଼ିଛି ତିନିରଥ । ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନି ସହ ରଥ ଚକାର ଘର୍‌ଘର୍‌ ଶବ୍ଦରେ କମ୍ପିଛି ବଡ଼ଦାଣ୍ଡ । ଅପରାହ୍ଣରେ ପ୍ରବଳ ବର୍ଷା ସତ୍ତ୍ବେ ଅଟକିନି ତିନି ରଥ । ବର୍ଷାରେ ଭିଜି ଭିଜି ସେବାୟତ ତିନି ରଥକୁ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ସିଂହଦ୍ବାର ଚକଡ଼ାରେ ପହଞ୍ଚାଇଛନ୍ତି ।

କିନ୍ତୁ କାଳିଆର ପ୍ରିୟ ଭକ୍ତଙ୍କୁ ବଡ଼ଦାଣ୍ଡରେ ଦେଖିବାକୁ ମିଳିନଥିଲା । ଭାବ ବିନୋଦିଆ ମହାବାହୁ ଆଜି ବିନା ଭକ୍ତରେ ବଡ଼ ଭାଇ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି । ନିର୍ଘଣ୍ଟ ନୀତିର ୪ ଘଣ୍ଟା ଆଗରୁ ପହଣ୍ଡି ସହ ରଥଟଣା ଆରମ୍ଭ ହୋଇଛି। ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ପାଇଁ ନୀତି ନିର୍ଘଣ୍ଟ ହୋଇଥିଲେ ବି ୭ଟା ୪୦ରୁ ପହଣ୍ଡି ଆରମ୍ଭ ହୋଇଛି । ଗତକାଲି ସନ୍ଧ୍ୟା ସୁଦ୍ଧା ତିନି ରଥ ସିଂହଦ୍ବାର ଚକଡ଼ାରେ ବିଜେ କରିଛନ୍ତି । ତିନି ରଥ ସିଂହଦ୍ବାରରେ ପହଞ୍ଚିବା ପରେ ଆଜି ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ସ୍ଥିର ହୋଇଛି । ସକାଳ ୬ଟାରେ ମଙ୍ଗଳ ଆଳତି, ୬ଟା ୩୦ ମଇଲମ ତଡପ ଲାଗି ହୋଇଛି । ସକାଳ ୭ଟାରେ ତଡପ ଲାଗି, ୮ଟାରେ ଅବକାଶ, ସକାଳ ୯ଟାରେ ବେଶ ଶେଷ ନୀତି ଅନୁଷ୍ଠିତ ହେବ । ଦିନ ୧୦ଟାରୁ ସାଢେ ୧୦ଟେର ଗୋପାଳ ବଲ୍ଲଭ ବେଶ, ଅପରାହ୍ନ ୨ଟାରେ ମଧ୍ୟାହ୍ନ ଧୁପ ମହାପ୍ରଭୁଙ୍କୁ ଲାଗି କରାଯିବ । ସାଢେ ୩ଟାରେ ଶାଢୀ ଖଣ୍ଡୁଆ ଲାଗି ଓ ସନ୍ଧ୍ୟା ଆଳତୀ ପରେ ଅପରାହ୍ନ ୪ଟାରୁ ସୁନାବେଶ ଆରମ୍ଭ ହେବ ।