କନକ ବ୍ୟୁରୋ : ଆଜି ଶ୍ରୀଜିଉଙ୍କ ବଡ ତଡାଉ ବା ସୁନାବେଶ । ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ୱାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ । ବର୍ଷବ୍ୟାପୀ ରତ୍ନବେଦିରେ ସୁନାବେଶରେ ଦର୍ଶନ ଦେଉଥିବା ମହାବାହୁ ମହଣ ମହଣ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ଦେବେ ଦର୍ଶନ ।
ସୁନାର କିରିଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୁଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଆଭୂଷଣରେ ହେବେ ଆଭୂଷିତ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସୁନାବେଶ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଂଟ ହୋଇଛି । ନିର୍ଘଂଟ ନୀତି ଅନୁଯାୟୀ, ଅପରାହ୍ନ ୫ଟାରୁ ସୁନାବେଶ ଆରମ୍ଭ ହେବ ।
ରାତି ୧୦ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ । ତଥାପି ନୀତିକାନ୍ତି ସଅଳ ହେଲେ, ଅପରାହ୍ନ ୩ଟାରୁ ସୁନାବେଶ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । କିଭଳି ସଠିକ ସମୟରେ ସୁନାବେଶ ଦର୍ଶନ ଆରମ୍ଭ ହୋଇ ଶେଷ ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ଓ ସେବାୟତଙ୍କୁ ଯତ୍ନବାନ ହେବାକୁ କହିଛି ।
ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍ ଛକରୁ ବଡ଼ଦାଣ୍ଡରେ ବାରିକେଡ୍ ବ୍ୟବସ୍ଥା କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ବଡ଼ଦାଣ୍ଡରେ ବାମପାର୍ଶ୍ବରୁ ରଥ ଆଗ ଦେଇ ଦର୍ଶନ ପାଇଁ ଛାଡ଼ି ଡାହାଣ ପାର୍ଶ୍ବରେ ପ୍ରସ୍ଥାନ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଭିଡ଼ ଓ ଅନୁପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସଂଯୋଗ ରାସ୍ତାକୁ ସିଲ୍ କରିବାକୁ ପୁଲିସ ପ୍ରଶାସନ ଯୋଜନା କରିଛି। ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରି ଦିଆଯାଇଛି।
ନବଦିନାତ୍ମକ ଯାତ୍ରା ସରିବା ପରେ ବାହୁଡିଛନ୍ତି ତିନିଠାକୁର । ବଡ ଦେଉଳ ଆଗରେ ଠିଆ ହୋଇଛି ତିନି ରଥ । ଗତକାଲି ବାହୁଡାଯାତ୍ରା ପାଇଁ ସଅଳ ନୀତି ହୋଇଥିଲା । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରଥମେ ପହଂଚିଥିଲା ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ଏହାପରେ ପହଂଚିଥିଲା ଦେବୀ ସୁଭଦ୍ରଙ୍କ ଦର୍ପଦଳନ ରଥ । ଶେଷରେ ଆସିଥିଲେ ଜଗତରନାଥ ଜଗନ୍ନାଥ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/1-53.jpg)