ରଥ ଉପରେ ସୁନାବେଶରେ ଝଟକିଲେ ମହାପ୍ରଭୁ ! ଦର୍ଶନ ପାଇଁ ବଡଦାଣ୍ଡରେ ପ୍ରବଳ ଭିଡ, ୧୨ ଲକ୍ଷ ଭକ୍ତଙ୍କ ସମାଗମ

Advertisment
ରଥ ଉପରେ ସୁନାବେଶରେ ଝଟକିଲେ ମହାପ୍ରଭୁ ! ଦର୍ଶନ ପାଇଁ ବଡଦାଣ୍ଡରେ ପ୍ରବଳ ଭିଡ, ୧୨ ଲକ୍ଷ ଭକ୍ତଙ୍କ ସମାଗମ
କନକ ବ୍ୟୁରୋ : ମଥାରେ ସୁନାର କିରୀଟ। କାନରେ ସୁନାର କୁଣ୍ଡଳ, ତଳଗି। କମରରେ ସୁନା କମରପଟି ସାଙ୍ଗକୁ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳଭୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ଆଦି ଆଭୂଷଣ। ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ହାତରେ ସୁବର୍ଣ୍ଣର ହଳମୂଷଳ, କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ହାତରେ ସ୍ବର୍ଣ୍ଣ ଚକ୍ର ଓ ରୁପାର ଶଙ୍ଖ। ମା’ ସୁଭଦ୍ରାଙ୍କ ତଳଗି (କର୍ଣ୍ଣାଳଙ୍କାର), ସୁନାର ଶ୍ରୀପୟର। ସତରେ କି ସୁନ୍ଦର ସେ ରୂପ। ନବଦିନର ଯାତ୍ରା ସାରି ସିଂହଦ୍ୱାରକୁ ବାହୁଡ଼ିବା ପରେ ମହଣ ମହଣ ସୁନା, ରୁପା ଓ ବିଭିନ୍ନ ଧାତୁ ଓ ରତ୍ନରେ ନିର୍ମିତ ଭଳିକି ଭଳି ଅଳଙ୍କାର ପରିଧାନ କରି ଅପରୂପ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ।

sunabesa Source:
pbs.twimg.com

ରତ୍ନବେଦୀକୁ ଫେରିବାର ଦିନକ ପୂର୍ବରୁ ପବିତ୍ର ଗରୁଡ଼ ଶୟନ ଦ୍ବାଦଶୀ ତିଥିରେ ସିଂହଦ୍ୱାର ଆଗରେ ଦଣ୍ଡାୟମାନ ତିନି ରଥରେ ତିନି ଠାକୁରଙ୍କ ଏହି ସୁନାବେଶ ଦେଖି ଭକ୍ତବୃନ୍ଦ ଆତ୍ମ ବିଭୋର ହୋଇଥିଲେ। ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଥିଲା ସମଗ୍ର ବଡ଼ଦାଣ୍ଡ। ଭାବପ୍ରବଣତା ଓ ଆବେଗରେ କିଛି ଭକ୍ତ କାନ୍ଦି ପକାଉଥିଲେ। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦେଖିବା ପାଇଁ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଥିଲା। ଅନୁକୂଳ ପାଗ ଯୋଗୁ ୧୨ ଲକ୍ଷରୁ ଅଧିକ ଭକ୍ତ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି କୋଟି ପୁଣ୍ୟ ଲାଭ କରିଥିଲେ।

ସେପଟେ ବାହୁଡ଼ା ପରି ସମସ୍ତ ନୀତି ସଅଳ ସଂପନ୍ନ ହୋଇଥିଲା। ନିର୍ଘଣ୍ଟ ନୀତିର ଅଧଘଣ୍ଟା ପୂର୍ବରୁ ଶ୍ରୀଜିଉ ବେଶ ହୋଇ ଭକ୍ତଜନଙ୍କୁ ଦର୍ଶନ ଦେଇଥିଲେ।ରବିବାର ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଶେଷ ପରେ ୧୫ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ସେ ଦିନ ମା’ ଲକ୍ଷ୍ମୀଙ୍କ ରସଗୋଲା ନୀତି ପରେ ଚତୁର୍ଦ୍ଧା ମୂର୍ତି ଶ୍ରୀମନ୍ଦିର ପ୍ରବେଶ କରିବେ। ମହାପ୍ରଭୁଙ୍କ ସୁନାବେଶକୁ ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe