କୋଣାର୍କର ‘ବାଲି’ କାହାଣୀ ! ୧୨ ଫୁଟ୍ ଦବି ଯାଇଛି କୋଣାର୍କ ଜଗମୋହନରେ ଥିବା ୧୧୭ ବର୍ଷ ତଳର ବାଲି । ବାଲି କାଢ଼ି ସ୍ଥାପତ୍ୟର ସୁରକ୍ଷା ଦେବାକୁ ଯୋଜନା କରୁଛି ଏଏସ୍ଆଇ । ବିଶେଷଜ୍ଞଙ୍କ ଆଶଙ୍କା, କୋଣାର୍କରୁ ବାଲି କାଢ଼ିବା କେତେ ନିରାପଦ ।

682

କନକ ବ୍ୟୁରୋ: ସାରା ବିଶ୍ୱକୁ ଐତିହ୍ୟ ଓ ସ୍ଥାପତ୍ୟ କୀର୍ତିରାଜିର ଝଲକ ଦେଖାଇ ଆସୁଥିବା ଏହି ୮୦୦ ବର୍ଷ ପୁରୁଣା କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥାୟିତ୍ୱ ଉପରେ ବିପଦର ବାଦଲ ଛାଇ ରହିଛି । ୧୧୭ ବର୍ଷ ତଳୁ ବାଲିର ଆଧାର ଉପରେ ଛିଡ଼ା ହୋଇଛି ଏହି ମନ୍ଦିରର ଜଗମୋହନ । ଆଉ ଏହି ବାଲି ଏବେ ୧୨ ଫୁଟ ପର୍ଯ୍ୟନ୍ତ ଦବି ଯାଇଥିବା ଆଶଙ୍କା କରାଯାଉଛି । ବାଲି କାଢ଼ି ସ୍ଥାପତ୍ୟକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟ ଉପାୟ ଅବଲମ୍ବନ କରିବାକୁ ଚାହୁଁଛି ଏଏସ୍ଆଇ । କୋଣାର୍କର ସଂରକ୍ଷଣ ପାଇଁ ଅନୁଷ୍ଠିତ ୨ ଦିନିଆ କର୍ମଶାଳାରେ ଜଗମୋହନ ଭିତରେ ଥିବା ବାଲି କାଢ଼ିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

୧୧୩ ଫୁଟ ଉଚ୍ଚ ଜଗମୋହନର ସୁରକ୍ଷା ପାଇଁ ୧୯୦୩ ମସିହାରେ ବାଲି ଭର୍ତି କରିଥିଲେ ତକ୍ରାଳୀନ ବ୍ରିଟିଶ ସରକାର । ୨୦୧୩ ମସିହାରେ ସେଂଟାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ଏ ନେଇ ଗବେଷଣା କରାଯାଇଥିଲା । ଆଭ୍ୟନ୍ତର ସ୍ଥଳର ଏଣ୍ଡୋସ୍କୋପି ପରେ ଶୀର୍ଷରୁ ୧୨ ଫୁଟ ପର୍ଯ୍ୟନ୍ତ ବାଲି ଦବି ଯାଇଥିବା କହିଛି ସିବିଆରଆଇ । ଯାହା ସମଗ୍ର ଢ଼ାଂଚା ଉପରେ ଚାପ ସୃଷ୍ଟି କରୁଛି । ଜଗମୋହନରୁ ଅନେକ ପଥର ଖସି ଯାଇଥିବାରୁ କୋଣାର୍କ ପ୍ରତି ଥିବା ବିପଦକୁ ଆହୁରି ବଢ଼ାଇ ଦେଇଛି ।

ବିଶେଷଜ୍ଞଙ୍କ ମତରେ କୋଣାର୍କର ସୁରକ୍ଷା ପାଇଁ ଦୁଇଟି ବିକଳ୍ପ ରହିଛି । ପ୍ରଥମ ବିକଳ୍ପ – ବାଲି କାଢ଼ି ନୂଆ ଉପାୟରେ ଜଗମୋହନକୁ ସୁରକ୍ଷିତ ରଖିବା ଦ୍ୱିତୀୟ ବିକଳ୍ପ – ଖାଲି ସ୍ଥାନରେ ବାଲି ଭର୍ତ୍ତି କରିବା, ଖସିଥିବା ପଥର ବଦଳରେ ନୂଆ ପଥର ଲଗାଇବା ତେବେ ବାଲି ଭର୍ତି କଲେ ଜଗମୋହନର ସୁରକ୍ଷା ଦୀର୍ଘସ୍ଥାୟୀ ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏପଟେ ଜଗମୋହନରୁ ବାଲି କାଢ଼ିବା ମଧ୍ୟ ଏବେ ସହଜ ନୁହେଁ । ଏପରକି ଏହି ବିଶ୍ୱପ୍ରସିଦ୍ଧ କଳା ସ୍ଥାପତ୍ୟର କ୍ଷତି ଘଟିବା ଆଶଙ୍କା ମଧ୍ୟ ରହିଛି ।