ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ଚିହ୍ନ ଥିବା ମାସ୍କର ବଢୁଛି ଚାହିଦା । ସାଲେପୁର ବଜାରରେ ମିଳୁଛି ସୂର୍ଯ୍ୟ, କେଟିଲ, ଷ୍ଟୁଲ, ହାତ, ଶଙ୍ଖ ଚିହ୍ନର ମାସ୍କ

161

କନକ ବ୍ୟୁରୋ: ଚାଲିଛି ନିର୍ବାଚନୀ ଋତୁ । ଗାଁ ଗାଁ ଜମୁଛି ନିର୍ବାଚନୀ ପ୍ରଚାର । ଆଉ ଏହି ସମୟରେ ନିର୍ବାଚନୀ ଚିହ୍ନର ମାସ୍କକୁ ନେଇ ଲୋକଙ୍କ ଭିତରେ ଚାହିଦା ବଢୁଛି । ବଜାରରେ ରଙ୍ଗ ବେରଙ୍ଗର ମାସ୍କ ଦୋକାନରେ ଲୋକଙ୍କ ଗହଳି ଲାଗୁଛି । ତେବେ ଭଳିକି ଭଳି ମାସ୍କରେ ସଜା ହୋଇଛି ସାଲେପୁର ବଜାରରେ ଥିବା ମାସ୍କ ଦୋକାନ । ପ୍ରାର୍ଥୀ ଓ ସମର୍ଥକ ମାନେ ମାସ୍କ କିଣିବାକୁ ଭିଡ଼ ଜମେଇଛନ୍ତି । ଏହି ମାସ୍କ ସବୁ ନିର୍ବାଚନ ପାଇଁ ସ୍ୱତନ୍ତ୍ର ଭାବେ ତିଆରି ହୋଇଛି । ଶଂଖ, ଫୁଲ, ହାତ, ଛତା, ଖୋଲା ବହି, ନଙ୍ଗଳ, ତାଲାଚାବି ଭଳି ଅନେକ ଚିହ୍ନ ଥିବା ମାସ୍କ ଏବେ ସାଲେପୁର ବଜାରରେ ବିକ୍ରୟ କରାଯାଉଛି । ଭଲ ବ୍ୟବସାୟ ହେଉଥିବାରୁ ଖୁସି ପ୍ରକାଶ କରିଛନ୍ତି ବ୍ୟବସାୟୀ ।

ୱାର୍ଡ଼ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ସମସ୍ତ ଚିହ୍ନ ଥିବା ମାସ୍କ ଦୋକାନ ଗୁଡ଼ିକରେ ମିଳୁଛି । ନିର୍ବାଚନରେ ଲଢେଇ କରୁଥିବା ପ୍ରାର୍ଥୀ, ସେମାନଙ୍କ ସମ୍ପର୍କୀୟ ଏବଂ ସମର୍ଥକ ମାନେ ଏହି ମାସ୍କ କିଣିବା ପାଇଁ ଅର୍ଡ଼ର କରି କିଣି ନେଉଛନ୍ତି । ଦାମ୍ ଏତେ ଅଧିକ ନଥିବାରୁ ଲୋକ ଖୁସିରେ କିଣି ନେଉଛନ୍ତି । ମାସ୍କ ଗୋଟିକର ଦାମ୍ ପାଖାପାଖି ୨୦ ଟଙ୍କା ହୋଇଥିବାବେଳେ ଗ୍ରାହକଙ୍କ ଭିଡ଼ ଲାଗୁଛି ।

ପ୍ରାର୍ଥୀ ମାନେ ନିର୍ବାଚନ ପ୍ରଚାର ପାଇଁ କେଉଁଠି ଡ଼ିଜିଟାଲ ପ୍ରଚାର କରୁଛନ୍ତି ତ ପୁଣି କେଉଁଠି ନିଜ ନିଜ ଦଳୀୟ ଚିହ୍ନ ଥିବା ମାସ୍କ, ପତାକା, ଏବଂ ଶାଢୀ ଦେଇ ଭୋଟରଙ୍କ ମନ କିଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏବେ କରୋନା ମହାମାରୀ ପାଇଁ ଲୋକେ ମାସ୍କ ବ୍ୟବହର କରିବା ଲୋକଙ୍କ ପାଇଁ ଆବଶ୍ୟକତା ପଡ଼ୁଛି । ଲୋକେ ଘରୁ ବାହାରିଲେ ଆଗ ମାସ୍କ ବ୍ୟବହାର କରିବାକୁ ଭୁଲୁନାହାନ୍ତି । ତେଣୁ ପ୍ରାର୍ଥୀ ମାନେ ନିଜ ନିଜ ଚିହ୍ନ ଥିବା ମାସ୍କ ଭୋଟର ମାନଙ୍କୁ ବାଂଟୁଛନ୍ତି । ଯାହାଫଳରେ ବ୍ୟବସାୟୀ ମାନେ ଲାଭବାନ ହେଉଥିବା କହିଛନ୍ତି ।