କନକ ବ୍ୟୁରୋ: ଚନ୍ଦ୍ରଯାନ-୩ର ସଫଳତା ପରେ ନିଜର ପରବର୍ତ୍ତୀ ମିଶନ୍ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି - ଇସ୍ରୋ । ଚନ୍ଦ୍ରର ଅପହଞ୍ଚ ଦକ୍ଷିଣ ମେରୁରେ ଅବତରଣ କରିଥିଲା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ । ଯାହା ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋକୁ ପରବର୍ତୀ ମିସନ୍ ପାଇଁ ଉତ୍ସାହିତ କରିଛି । ସୋମବାର ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ଯେ, ସେପ୍ଟେମ୍ବର ୨ରେ ସୂର୍ଯ୍ୟ ଅଭିମୁଖେ ଯିବ ଆଦିତ୍ୟ ଏଲ-୧ । ଦିନ ୧୧ଟା ୫୦ ମିନିଟ୍‌ରେ ଇସ୍ରୋ ପକ୍ଷରୁ କରାଯିବ ଉତ୍‌କ୍ଷେପଣ । ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ହେବ ଲଞ୍ଚ ।

Advertisment

ସ୍ୱାଭାବିକ ଭାବେ ପ୍ରଶ୍ନ ଆସେ ଯେ, ସୂର୍ଯ୍ୟ ଖୁବ ଉତପ୍ତ । ଏହା ନିକଟକୁ ଗଲେ ସବୁକିଛି ଜଳିପୋଡି ଛାରଖାର କରିଦେବ । ତେଣୁ ଇସ୍ରୋ ପଠାଉଥିବା ଆଦିତ୍ୟ ଏଲ-୧ ସାଟେଲାଇଟ୍ କେମିତି ସୂର୍ଯ୍ୟକୁ ଯିବ । ଏବଂ ଏହା ସେଠାରେ କି ପ୍ରକାର ପରୀକ୍ଷଣ କରି ଆମକୁ ତଥ୍ୟ ପଠାଇବ । ତେଣୁ ନଜର ପକାନ୍ତୁ କେମିତି କାମ କରିବ ଇସ୍ରୋ ପକ୍ଷରୁ ପଠା ଯାଉଥିବା ଆଦିତ୍ୟ ଏଲ-୧ ସାଟେଲାଇଟ୍‌?

କେମିତି କାମ କରିବ ଆଦିତ୍ୟ ଏଲ-୧?
- ପୃଥିବୀଠାରୁ ସୂର୍ଯ୍ୟର ଦୂରତା ପ୍ରାୟ ୧୫ କୋଟି ଲକ୍ଷ କିଲୋମିଟର
- ପ୍ରଥମ ‘ଲାଗରେଂଜ’ ପଏଂଟ୍ ନିକଟରେ ଅବସ୍ଥାପିତ ହେବ ଆଦିତ୍ୟ ଏଲ-୧
- ପୃଥିବୀରୁ ଏହାର ଦୂରତା ପ୍ରାୟ ୧୫ ଲକ୍ଷ କିଲୋମିଟର
- ଅର୍ଥାତ ସୂର୍ଯ୍ୟଠାରୁ ସାଢେ ୧୪ କୋଟି ଲକ୍ଷ କିମି ଦୂରରେ ରହିବ ଆଦିତ୍ୟ ଏଲ-୧
- ‘ଲାଗରେଂଜ’ ପଏଂଟରେ ଉଭୟ ପୃଥିବୀ ଓ ସୂର୍ଯ୍ୟର ଆକର୍ଷଣ ଶକ୍ତି କାର୍ଯ୍ୟ କରେ
- ଏଇଠି ରହି ସୌର ମଣ୍ଡଳର ସ୍ଥିତି ଅନୁଧ୍ୟାନ କରିବ ଏହି ସାଟେଲାଇଟ୍
- ସୂର୍ଯ୍ୟର ଫଟୋସ୍ପିୟର, କ୍ରୋମୋସ୍ପିୟର, କରୋନା ସମ୍ପର୍କରେ ତଥ୍ୟ ଦେବ
- ଅତି ବାଇଗଣୀ ରଶ୍ମି ବିକିରଣ ଓ ବିଶ୍ୱ ଜଳବାୟୁ ନେଇ ଗବେଷଣା କରିବ
- ସୌର ଚୁମ୍ବକୀୟ ଝଡ଼, ବାୟୁ ମଣ୍ଡଳ ସଂପର୍କରେ ଅନୁଧ୍ୟାନ କରିବ

ଜାଣିଲେ ଆଶ୍ଚର୍ଯ୍ୟ ହେବେ ସୂର୍ଯ୍ୟ ଅଭିଯାନ ପାଇଁ ବ୍ୟୟ ଅଟକଳ ମାତ୍ର ୩୭୮ କୋଟି ଟଙ୍କା । ଆଦିପୁରୁଷ ଭଳି ହିନ୍ଦି ଫିଲ୍ମର ନିର୍ମାଣ ଖର୍ଚ୍ଚ ୭୦୦ କୋଟି ଥିବାବେଳେ ତାଠାରୁ କମ୍ ଖର୍ଚ୍ଚରେ ଭାରତର ଚନ୍ଦ୍ର ଅଭିଯାନ ସଫଳ ହେଲା । ଆଉ ଏବେ ପୁଣି ଅତି କମ୍ ଖର୍ଚ୍ଚରେ ଭାରତ ତାର ସୂର୍ଯ୍ୟ ଅଭିଯାନ ସଫଳ କରିବା ଲକ୍ଷ୍ୟରେ ରହିଛି ।