ଦୁର୍ଲଭ ନାଗାର୍ଜୁନ ବେଶ ଦେଖିବାରୁ ବଂଚିତ ହେଲେ ଲକ୍ଷ ଲକ୍ଷ ଭକ୍ତ: ହେଲେ ବେଶ ସମୟରେ ସରକାରୀ ବାବୁଙ୍କ ଭିଡ଼ ନେଇ ଆସିଲା ଅଭିଯୋଗ

ସେପଟେ ଲାଗି ହୋଇଥିବା ସୂର୍ଯ୍ୟ ,ଚନ୍ଦ୍ରକୁ ନେଇଯିବା ପ୍ରସଙ୍ଗରେ ଆରମ୍ଭ ହେଲା ତନାଘନା

262

କନକ ବ୍ୟୁରୋ: ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନକୁ ନେଇ ନୂଆ ବିବାଦ । ଠାକୁରଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାରୁ ବଂଚିତ ହେଲେ ଭକ୍ତ । କିନ୍ତୁ ସରକାରୀ ବାବୁଙ୍କ ପାଇଁ ଶ୍ରୀମନ୍ଦିରର ସାହାଣ ମେଲା ଚାଲିଥିଲା ବୋଲି ଅଭିଯୋଗ ଆସିଛି । ଏନେଇ ପୁରୀ ଜିଲ୍ଲାପାଳ କହିଛନ୍ତି, ପୁରା ଘଟଣାର ତଦନ୍ତ କରାଯିବ । ସେପଟେ ବଡଠାକୁରଙ୍କ ନାଗାର୍ଜୁନ ବେଶରୁ ସୂର୍ଯ୍ୟ,ଚନ୍ଦ୍ର ନେଇଯିବା ପ୍ରସଙ୍ଗରେ ଆରମ୍ଭ ହୋଇଯାଇଛି ତନାଘନା ।

ନାଗାର୍ଜୁନ ବେଶ ଦେଖିବାରୁ ବଂଚିତ ହେଲେ ଭକ୍ତ, ବେଶ ସମୟରେ ସରକାରୀ ବାବୁଙ୍କ ଭିଡ଼! କରୋନା କଟକଣା ଯୋଗୁଁ ବଡ଼ଠାକୁରଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦେଖିବାରୁ ବଂଚିତ ହେଲେ ଅଗଣିତ ଜଗନ୍ନାଥ ପ୍ରେମୀ । ହେଲେ ଏବେ ଯେଉଁ ଅଭିଯୋଗ ଆସିଛି, ତାହା ସାଂଘାତିକ । ନାଗାର୍ଜୁନ ବେଶକୁ ସିନା ଭକ୍ତ ଦର୍ଶନ କରି ପାରିଲେନି, ଏବେ ଅଭିଯୋଗ ହୋଇଛି, ବେଶ ସମୟରେ ଶ୍ରୀମନ୍ଦିର ଭିତରକୁ ଅଣସେବାୟତ ପ୍ରବେଶ କରିଛନ୍ତି । ଡ୍ୟୁଟିରେ ନଥିବା ସରକାରୀ ବାବୁଙ୍କ ଭିଡ଼ ଦେଖିବାକୁ ମିଳିଛି । ସତେ ଯେମିତି ସେମାନଙ୍କ ପାଇଁ ଥିଲା ସାହାଣ ମେଲା । ଏପରି ଅଭିଯୋଗ ଆସିବା ପରେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ସେପଟେ ବଡଠାକୁରଙ୍କ ନାଗାର୍ଜୁନ ବେଶରୁ ସୂର୍ଯ୍ୟ,ଚନ୍ଦ୍ର ନେଇଯିବା ପ୍ରସଙ୍ଗରେ  ଆରମ୍ଭ ହୋଇଛି ତନାଘନା । ପୁରୀ ଶ୍ରୀମନ୍ଦିରରେ ପହଚିଂ ଯାଂଚ କରିଛନ୍ତି ମୁଖ୍ୟପ୍ରଶାସକ, ଜିଲ୍ଲାପାଳ ଓ ନୀତି ପ୍ରଶାସକ । ବେଶ ସରିବା ପରେ ସରଜାଂମ ଶ୍ରୀମନ୍ଦିର ବାହାରକୁ ଯାଇଛି କି ନାହିଁ ସେ ଦିଗରେ ତଦନ୍ତ କରାଯିବ । ବେଶ ଯୋଗାଇଥିବା ବଳରାମ ଖୁଂଟିଆକୁ ମଧ୍ୟ ପଚାର ଉଚାର କରାଯିବ । କମାଣ୍ଡରଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି । ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଅଭିଯୋଗ ଅନୁସାରେ ଜଣେ ସେବାୟତଙ୍କ ଘରକୁ ଏହି ସୂର୍ଯ୍ୟ, ଚନ୍ଦ୍ରକୁ ନିଆଯାଇଥିଲା । ନାଗାର୍ଜୁନ ବେଶ ଦେଖିବାକୁ ଭକ୍ତ ବଂଚିତ ହୋଇଥିବାରୁ ଲାଗି ହୋଇଥିବା ବେଶକୁ ସଂଗ୍ରହାଳୟରେ ରଖାଯିବ ବୋଲି ନିଷ୍ପତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତି ହୋଇଥିବା ବେଳେ କାହା ନିର୍ଦ୍ଦେଶରେ ସେବାୟତଙ୍କ ଘରକୁ ସୂର୍ଯ୍ୟ ଚନ୍ଦ୍ର ଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।