ବଡଠାକୁରଙ୍କ ନାଗାର୍ଜୁନ ବେଶରୁ ସୂର୍ଯ୍ୟ, ଚନ୍ଦ୍ର ନେଇଯିବା ପ୍ରସଙ୍ଗରେ ତନାଘନା: ଶ୍ରୀମନ୍ଦିରରେ ପହଂଚି ଯାଂଚ କଲେ ମୁଖ୍ୟପ୍ରଶାସକ, ଜିଲ୍ଲାପାଳ, ନୀତି ପ୍ରଶାସକ

ବେଶ ଯୋଗାଇଥିବା ବଳରାମ ଖୁଂଟିଆଙ୍କୁ ହେବ ପଚରାଉଚରା । ମନ୍ଦିର ବାହାରକୁ ବେଶ ଯାଇଥିଲେ ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

246

କନକ ବ୍ୟୁରୋ: ବଡଠାକୁରଙ୍କ ନାଗାର୍ଜୁନ ବେଶରୁ ସୂର୍ଯ୍ୟ ,ଚନ୍ଦ୍ର ନେଇଯିବା ପ୍ରସଙ୍ଗରେ  ଆରମ୍ଭ ହୋଇଛି ତନାଘନା । ପୁରୀ ଶ୍ରୀମନ୍ଦିରରେ ପହଚିଂ ଯାଂଚ କରିଛନ୍ତି ମୁଖ୍ୟପ୍ରଶାସକ, ଜିଲ୍ଲାପାଳ ଓ ନୀତି ପ୍ରଶାସକ । ବେଶ ସରିବା ପରେ ସରଜାଂମକୁ କେଉଁଠି ରଖାଯାଇଥିଲା ଓ ଏହା ମନ୍ଦିର ବାହାରକୁ ଯାଇଛି କି ନାହିଁ ସେ ଦିଗରେ ତଦନ୍ତ କରାଯିବ । ଏପରିକି ବେଶ ଯୋଗଇଥିବା ବଳରାମ ଖୁଂଟିଆକୁ ମଧ୍ୟ ପଚାର ଉଚାର କରାଯିବ । କମାଣ୍ଡରଙ୍କୁ ତଦନ୍ତ କରି ରିପୋର୍ଟ ;ଦେବାକୁ କୁହାଯାଇଛି । ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଶ୍ରୀମୁଖ୍ୟପ୍ରଶାସକ ।

ସେହିପରି ନାଗାର୍ଜୁନ ବେଶ ସମୟରେ ମନ୍ଦିର ଭିତରକୁ ଅଣସେବାୟତ ପ୍ରବେଶ ନେଇ ତଦନ୍ତ ହେବ ବୋଲି କହିଛନ୍ତି ଜିଲ୍ଲପାଳ ବଳବନ୍ତ ସିଂ । ଅଭିଯୋଗ ଅନୁସାରେ ଜଣେ ସେବାୟତଙ୍କ ଘରକୁ ଏହି ସୂର୍ଯ୍ୟ, ଚନ୍ଦ୍ରକୁ ନେଇଯାଇଛନ୍ତି ଜଣେ ତଳିଆ କର୍ମଚାରୀ । କାହା ନିର୍ଦ୍ଦେଶରେ ଶ୍ରୀମନ୍ଦିର ଭିତରୁ ବଡଠାକୁରଙ୍କ ବେଶ ବାହାରକୁ ଆସିଲା ତାକୁ ନେଇ ପ୍ରଶ୍ନ ଉଠିଛି । କାରଣ, ଠାକୁରଙ୍କୁ ଲାଗୁ ହୋଇଥିବା ବେଶ ସଂଗ୍ରହାଳୟରେ ରଖାଯିବ ବୋଲି ପୂର୍ବରୁ ନିଷ୍ପତି କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତି ହୋଇଥିବା ବେଳେ କାହା ନିର୍ଦ୍ଦେଶରେ ସେବାୟତଙ୍କ ଘରକୁ ସୂର୍ଯ୍ୟ ଚନ୍ଦ୍ର ଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।