ଶୀତ ଗଲା ଏବେ ଖରାରେ ସିଜିବ ସାରା ଓଡିଶା ! ଭୀଷଣ ତାତି ନେଇ ଆସୁଛି ଗ୍ରୀଷ୍ମ, ମାର୍ଚ୍ଚ ପହିଲା ବେଳକୁ ୪୦ ଡିଗ୍ରି ଛୁଇଁପାରେ ତାପମାତ୍ରା

ଦୁଇ ଦିନ ହେଲା ରାଜ୍ୟର ତାପମାତ୍ରା ଲଗାତାର ବଢ଼ିବା‌ରେ ଲାଗିଛି

154

ଦୁଇ ଦିନ ହେଲା ରାଜ୍ୟର ତାପମାତ୍ରା ଲଗାତାର ବଢ଼ିବା‌ରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ବର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଏଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୭.୩ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨ରୁ ୩ ଦିନରେ ତାପମାତ୍ରା ଆହୁରି ୩ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ମାର୍ଚ୍ଚ ପହିଲା ସୁଦ୍ଧା ରାଜ୍ୟର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ତେଣୁ ଚଳିତବର୍ଷ ଗରମ ଶୀଘ୍ର ଆସିଥିବା ବେଳେ ଗ୍ରୀଷ୍ମ ପ୍ରକୋପ ମଧ୍ୟ ଅଧିକ ରହିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଦିନବେଳା ତାପମାତ୍ରାରେ ବୃଦ୍ଧି ଘଟି ଚାଲିଥିବା ବେଳେ ରାତି ତାପମାତ୍ରାରେ କିନ୍ତୁ ସେହି ତୀବ୍ରତାରେ ବୃଦ୍ଧି ପରିଲକ୍ଷିତ ହେଉନାହିଁ। ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମୁଥିବା ଦେଖିବାକୁ ମିଳିଛି। ସେହିପରି ଉତ୍ତର ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ‌ଦେଖିବାକୁ ମିଳିଥିବା ବେଳେ ଉତ୍ତର ଓ ଦକ୍ଷିଣ ଉପକୂଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିଛି। ଆସନ୍ତା ୨ରୁ ୩ଦିନ ମଧ୍ୟରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଗତ ୨୧ ତାରିଖଠାରୁ ସାରା ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ରାତି ଅପେକ୍ଷା ଦିନବେଳା ତାପମାତ୍ରା ଅଧିକ ବଢ଼ୁଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ଜାରି ରହିବ। ମାର୍ଚ୍ଚ ପହିଲା ସୁଦ୍ଧା ରାଜ୍ୟର କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ବା ତା’ ପାଖାପାଖି ରହିପାରେ। ଚଳିତବର୍ଷ ଗରମ ଶୀଘ୍ର ଆରମ୍ଭ ହୋଇଛି। ତେବେ ଉତ୍ତର ଓଡ଼ିଶାର ତାପମାତ୍ରାରେ ଅପେକ୍ଷାକୃତ କମ୍‌ ବୃଦ୍ଧି ଘଟିବ।

ବର୍ତ୍ତମାନ ରାଜ୍ୟକୁ ପାକିସ୍ତାନରୁ ଉତ୍ତର-ପଶ୍ଚିମ ଭାରତ ଓ କେନ୍ଦ୍ରୀୟ ଭାରତ ଦେଇ ପବନ ସିଧା ବହୁଛି। ବିଭିନ୍ନ ମ‌ଡେଲ କହୁଛି ଯେ ପବନର ଏହି ଦିଗ ଅପରିବର୍ତ୍ତିତ ରହିବ। ଫଳ‌ରେ ମଧ୍ୟ‌ପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ର ସମେତ ଓଡ଼ିଶାରେ ତାପମାତ୍ରା ବଢ଼ିବ। ଅନୁମାନ କରାଯାଉଛି ଯେ ରାଜ୍ୟରେ ପାଗ ଶୁଖିଲା, ଖରାଟିଆ ଓ ଆକାଶ ନିର୍ମଳ ରହିବ। ଭୁବନେଶ୍ବରରେ ୨୬ ତାରିଖରେ ସର୍ବାଧିକ ତାପମା‌ତ୍ରା ୩୯ ଡିଗ୍ରି ଅତିକ୍ରମ କରି ମାର୍ଚ୍ଚ ପହିଲା ଆଡ଼କୁ ୪୦ ଡିଗ୍ରି ରହିପାରେ। ଅନୁଗୁଳ, ତାଳଚେର, ଟିଟିଲାଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଭବାନୀପାଟଣା, ନୟାଗଡ଼ ଓ ମାଲକାନଗିରିରେ ମାର୍ଚ୍ଚ ୧ରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରି ପରବର୍ତ୍ତୀ ୩ ଦିନ ଅପରିବର୍ତ୍ତିତ ରହିବ। ସର୍ବନିମ୍ନ ତାପମାତ୍ରା ଅପେକ୍ଷାକୃତ କମ୍‌ ବଢ଼ିବ। ଏଣୁ ଫେବ୍ରୁଆରି ଶେଷ ପର୍ଯ୍ୟନ୍ତ ରାତିରେ ଥଣ୍ଡା ଅନୁଭୂତ ହେବ। ଦିନ ଓ ରାତି ଭିତରେ ତାପମାତ୍ରାର ତାରତମ୍ୟ ଅଧିକ ରହୁଥିବାରୁ ଏହା ଫସଲ ପାଇଁ ଉପକାରୀ, କିନ୍ତୁ ଜଳସେଚନର ଆବଶ୍ୟକତା ଅଧିକ ରହିବ।