କନକ ବ୍ୟୁରୋ : ଆସନ୍ତା ୫ ଦିନ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିବ । ଆକାଶ ନିର୍ମଳ ରହିବା ଯୋଗୁଁ ତାପମାତ୍ରା ମଧ୍ୟ ବଢ଼ିବ । ୫ ଦିନ ପରେ ରାଜ୍ୟର ପାରଦ ବଢ଼ିବ ଓ ଗରମ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ୭ରୁ ୧୨ ତାରିଖ ଭିତରେ ଗରମ ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ରାଜ୍ୟର ସବୁଠୁ ଉତ୍ତପ୍ତ ଅଞ୍ଚଳ ପାଲଟିବ ।

Advertisment

ତାପମାତ୍ରା ପ୍ରାୟ ୩ ଡିଗ୍ରିରୁ ଅଧିକ ବଢ଼ିପାରେ । ଅନୁଗୁଳ ସମେତ କେନ୍ଦ୍ରୀୟ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ତାପମାତ୍ରା ପ୍ରାୟ ୪ ଡିଗ୍ରିରୁ ଅଧିକ ବଢ଼ିବ। ୧୧ ବା ୧୨ ତାରିଖରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରି, ଅନୁଗୁଳ, ତାଳଚେର, ବଲାଙ୍ଗୀର, ଭବାନୀପାଟଣା, ଟିଟିଲାଗଡ଼ ଓ କାଲିମେଳାରେ ୩୯ ଡିଗ୍ରିରୁ ଅଧିକ ଓ ଝାରସୁଗୁଡ଼ାରେ ୩୭.୫ ଡିଗ୍ରି ଓ ଚାନ୍ଦବାଲିରେ ୩୭ ଡିଗ୍ରି ହୋଇପାରେ । ହୁଏତ ‌କେତେକ ସ୍ଥାନରେ ପାରଦ ୪୦ ଡିଗ୍ରି ଛୁଇଁପାରେ ।

ଭୁବନେଶ୍ବର ସମେତ ଉପକୂଳରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିବା ହେତୁ ଦିନରେ ଗରମ ଓ ରାତିରେ ସାମାନ୍ୟ ଥଣ୍ଡା ଅନୁଭୂତ ହେବ। କୁହୁଡ଼ି ଜାରି ରହିବ। ତେବେ ଆଭ୍ୟନ୍ତରୀଣ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରି ବଢ଼ିପାରେ । ଫସଲରେ ଜଳସେଚନର ଆବଶ୍ୟକତା ପ୍ରାୟ ୬୦ ପ୍ରତିଶତ ବଢ଼ିବ । ଏଣୁ ପନିପରିବା ଏବଂ ରବି ଫସଲ ଆବଶ୍ୟକମତେ ଜଳସେଚନ କରନ୍ତୁ ବୋଲି ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଭାରତ ମହାସାଗରର ମଧ୍ୟଭାଗରେ ରହିଥିବା ଅବପାତ ଏବେ ଶ୍ରୀଲଙ୍କା ଓ ତାମିଲନାଡୁ ଉପରେ ରହିଛି । ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ ବିଶେଷ ଭାବେ ଶ୍ରୀଲଙ୍କା ଓ ତାମିଲନାଡୁ ଉପରେ ରହିବ । ଓଡ଼ିଶା ଉପରେ ‌ଏହାର କୌଣସି ପ୍ରଭାବ ନାହିଁ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।