କଲବଲ କରୁଛି କିଡନୀ ରୋଗ, ସୁମିତ୍ରାଙ୍କୁ ସାହା ହୁଅ ସରକାର । ଚିକିତ୍ସା ପାଇଁ ଅଭାବୀ ପରିବାର ପାଖରେ ନାହିଁ ଅର୍ଥ

69

କନକ ବ୍ୟୁରୋ : ୬ ବର୍ଷ ହେଲାଣି ଜୀବନ ଯୁଦ୍ଧରେ ସଂଘର୍ଷ କରୁଛି ୧୮ ବର୍ଷିୟା ଝିଅ ସୁମିତ୍ରା ମହାପାତ୍ର । ସୁମିତ୍ରାଙ୍କ ଦୁଇଟି କିଡନୀ ଖରାପ ହୋଇଯାଇଥିବା ବେଳେ ସପ୍ତାହରେ ଦୁଇ ଥର ଡାଇଲେସସ୍ କରିବାକୁ ପଡୁଛି । ହେଲେ ପରିବାର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଝିଅର ଚିକିତ୍ସା କରିପାରୁନାହାନ୍ତି ପରିବାର ଲୋକେ । ପୁରୀ ପିପିଲି ବ୍ଲକ ଜସୁଆପୁର ଅଞ୍ଚଳରୁ ଆସିଛି ଜଣେ ଯୁବତୀଙ୍କ ଯନ୍ତ୍ରଣାଦାୟକ କାହାଣୀ ।

ଜୀବନକୁ ନେଇ ଅନେକ ସ୍ୱପ୍ନ । ହେଲେ କିଏ ଜାଣିଥିଲା ସ୍ୱପ୍ନ ଏମିତି ଅଧାରେ ଅଟକି ଯିବ । ପାଠ ପଢି, ସାଙ୍ଗମାନଙ୍କ ସହ ବୁଲିବା ବୟସରେ ଜୀବନ ବଂଚାଇବା ପାଇଁ କିଡନୀ ରୋଗ ସହ ଲଢେଇ କରିବାକୁ ପଡିବ । ଯାହା ବିତୁଛି ସୁମିତ୍ରାଙ୍କ ଜୀବନରେ । ଯୌବନରେ ଜୀବନକୁ ଯନ୍ତ୍ରଣାମୟ କରିଛି ରୋଗ । ସୁମିତ୍ରାଙ୍କର ଦୁଇଟି ଯାକ କୀଡନି ଖରାପ ହୋଇଯାଇଥିବା ବେଳେ ତାଙ୍କ ଚିକିତ୍ସା କରାଇବା ପାଇଁ ଅର୍ଥାଭାବର ସମ୍ମୁଖୀନ ହେଉଛନ୍ତି ପରିବାର ଲୋକେ ।

ପିପିଲି ବ୍ଲକ ଜସୁଆପୁର ପ୍ରକାଶ ମହାପାତ୍ରଙ୍କ ଝିଅ ସୁମିତ୍ରା । ବିଦ୍ୟାଳୟରେ ପାଠ ପଢୁଥିବା ବେଳେ ବାରମ୍ବାର ଦେହ ଖରାପ ହୁଏ । ଆଖପାଖ ଡାକ୍ତରଖାନାରୁ ମେଡିସିନ ଖାଇ କିଛି ଦିନ ପାଇଁ ଭଲ ହୋଇଯାଉଥିଲେ । ହେଲେ ପରେ ଅଧିକ ଅସୁସ୍ଥ ହେବାରୁ ଭୁବନେଶରର ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଇ ପରିବାର ଲୋକ ଜାଣିବାକୁ ପାଇଲେ ସୁମିତ୍ରାଙ୍କର ଦୁଇଟି କିଡିନ ସମ୍ପର୍ଣ୍ଣ ଖରାପ ହୋଇଯାଇଛି । ଏବେ ସପ୍ତାହକୁ ୨ଥର ଡାଏଲସିସ୍ କରାଯାଉଛି । ଗାଁ ଠାକୁରଙ୍କ ସେବା କରି ଗୁଜୁରାଣ ମେଣ୍ଟାଉଥିବା ବାପାଙ୍କ ପାଇଁ ଝିଅର ଚିକିତ୍ସା କରାଇବା କଷ୍ଟକର ହୋଇପଡିଛି । ସୁମିତ୍ରାଙ୍କ ଯନ୍ତ୍ରଣା ବାବଦରେ ଜାଣିବା ପରେ ଚିକିତ୍ସା ନିମନ୍ତେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ।