ଚିକିତ୍ସା ବିଜ୍ଞାନର ଚମତ୍କାର : କର୍କଟରେ ଆକ୍ରାନ୍ତ ଯୁବକଙ୍କ ହେଲା ସଫଳ ଚିକିତ୍ସା; ଲିମ୍ପୋମା ରୋଗୀଙ୍କ ଶରୀରରେ ପ୍ରତିରୋପଣ ହେଲା ଷ୍ଟେମସେଲ

215

କନକ ବ୍ୟୁରୋ : ରାଜ୍ୟରେ ପ୍ରଥମଥର ପାଇଁ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ସମ ହସ୍ପିଟାଲରେ ଜଣେ ରକ୍ତ କର୍କଟ ରୋଗୀଙ୍କ ବିରଳ ଚିକିତ୍ସା ସମ୍ଭବ ହୋଇଛି । ଲିମ୍ଫୋମା ରୋଗୀଙ୍କ ଶରୀରରେ ହୋଇଛି ଷ୍ଟେମ ସେଲ ପ୍ରତିରୋପଣ । ଜଟିଳ ବୋନମ୍ୟାରୋ ପ୍ରତିରୋପଣ ଦ୍ୱାରା ଲମ୍ଫୋମା ଭଳି କର୍କଟ ରୋଗର ସଫଳ ଚିକିତ୍ସା କରାଯାଇଛି ।

୩୩ ବର୍ଷୀୟ ଯୁବକଙ୍କ ଶରୀରରେ ଏହି ବିରଳ ଚିକିତ୍ସା ନେଇ ସୂଚନା ଦେଇଛନ୍ତି କ୍ଲିନିକାଲ ହେମାଟୋଲୋଜି ଏବଂ ହେମାଟୋ ଅଂକୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ପ୍ରିୟଙ୍କା ସାମଲ । କୋଭିଡ ମହାମାରୀ ଯୋଗୁଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ବ୍ୟାହାତ ହୋଇଥିବାବେଳେ ଗତ ୧୮ ମାସରେ ୨୫ ଜଣ ରୋଗୀଙ୍କଠାରେ ଷ୍ଟେମସେଲ ପ୍ରତିରୋପଣ ଏକ ବିରଳ ଉପଲବ୍ଧି । ସମରେ ଚିକିତ୍ସିତ ହୋଇଥିବା ଏହିସବୁ କର୍କଟ ରୋଗୀ ବର୍ତମାନ ପର୍ଯ୍ୟନ୍ତ ସୁସ୍ଥ ରହିଛନ୍ତି । କ୍ରାୟୋପ୍ରିଜର୍ଭେସନ ଭଳି ପଦ୍ଧତିରେ ଏହି ଚିକିତ୍ସା କରାଯାଉଛି ।

ଶରୀରର ସେଲ ଓ ଟିସୁଗୁଡିକୁ ମାଇନସ ୮୦ ଡିଗ୍ରୀ ସେଲସିଅସରେ ସଂରକ୍ଷିତ କରି ରଖାଯାଏ । ଶରୀରର କୋଷିକାଗୁଡିକ ୨ରୁ ୩ ଦିନ ପାଇଁ ବ୍ୟବହାର ଯୋଗ୍ୟ ହୋଇଥାଏ । କିନ୍ତୁ ଏହି ପ୍ରକ୍ରିୟାରେ ଅନେକ ମାସ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇ ପାରିବ । ଷ୍ଟେମ ସେଲଗୁଡିକ ବୋନମ୍ୟାରୋରେ ଥାଏ । ଏବଂ ଶରୀରର ପୁରୁଣା ତଥା କ୍ଷୟ ହୋଇଥିବା ରକ୍ତକଣିକା ସ୍ଥାନରେ ନୂତନ ରକ୍ତ କଣିକା ସୃଷ୍ଟି କରେ ।