କନକ ବ୍ୟୁରୋ : କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଅଳେଇଲୋ ଗାଁର ସୁଲୋଚନା ବେହେରା । ସେ ଜଣେ ଗୃହିଣୀ ହୋଇଥିବା ବେଳେ ନିଜସ୍ୱ ଉଦ୍ୟମରେ ଆତ୍ମନିର୍ଭର ହେବାର ଇଛା ତାଙ୍କୁ ରୋଜଗାରକ୍ଷମ କରାଇଛି । ନିଜର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଓ ଅନ୍ୟମାନଙ୍କୁ ରୋଜଗାର ପ୍ରଦାନ କରିବାର ସ୍ୱପ୍ନ ତାଙ୍କୁ ସଫଳତା ଦେଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କିଛି ରୁଣ ନେଇ ସେ ଆରମ୍ଭ କରିଛନ୍ତି ଗାଇଁ ଫାର୍ମ । ମହାକାଳପଡ଼ା ବ୍ଲକ ପଶୁ ଚିକିତ୍ସା ଅଧିକାରୀଙ୍କ ପରାମର୍ଶ ନେଇ ପ୍ରଥମେ ୧୦ଟି ଗାଇ ରଖି ଦୈନିକ ୧୦୦ ଲିଟର କ୍ଷୀର ଉତ୍ପାଦନ କରୁଛନ୍ତି । ସମସ୍ତ ଖର୍ଚ୍ଚ ଯାଇ ମାସକୁ ୩୦ହଜାରରୁ ଅଧିକ ଟଙ୍କା ଲାଭ ମିଳୁଥିବା ସେ କହିଛନ୍ତି । ୬ ମାସ ତଳେ ଆରମ୍ଭ ହୋଇଥିବା ଏହି ଫାର୍ମ ଏପର୍ଯ୍ୟନ୍ତ ତାଙ୍କୁ ୨ଲକ୍ଷ ୬୦ ହଜାର ଟଙ୍କା ରୋଜଗାର ଦେଲାଣି ।
ଏହି କାମରେ ସୁଲୋଚନାଙ୍କ ସ୍ୱାମୀ ତାଙ୍କୁ ସହଯୋଗ କରୁଛନ୍ତି । ଗାଇ ମାନଙ୍କୁ ଖାଦ୍ୟ ଖାଇବାକୁ ଦେବା ସହ ସମସ୍ତ ଯତ୍ନ ସେ ନିଜେ ନିଅନ୍ତି । ଏହା ସହ ସ୍ଥାନୀୟ ଅଂଚଳର ଦୁଇ ଜଣ ଯୁବକଙ୍କୁ ସେ ନିଜ ଫାର୍ମରେ ନିଯୁକ୍ତି ଦେଇଛନ୍ତି ।
ସୁଲୋଚନାଙ୍କ ଭଳି ଜଣେ ଗୃହିଣୀ ଗାଇ ଫାର୍ମ କରି ସଫଳ ହେବା ସହ ସ୍ଥାନୀୟ ଅଂଚଳରେ ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।