ସାଟେଲାଇଟରେ ଆସିଲା ସାଂଘାତିକ ଚିତ୍ର । ବୁହାନ ଆକାଶରେ ଦେଖିବାକୁ ମିଳିଲା ସଲଫର ଡାଇଅକ୍ସାଇଡ ଗ୍ୟାସ୍, ୧୪ ହଜାର ମୃତଦେହ ପୋଡାଯାଇଥିବା ଆଶଙ୍କା ।

6,731

ପୂରା ବିଶ୍ୱରେ ଆତଙ୍କ ସୃଷ୍ଟି କଲାଣି କରୋନା ଭାଇରସ । ଏବେ ସୁଦ୍ଧା ଏହି ପ୍ରାଣଘାତୀ ଭାଇରସ ୧୦୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ବେଳେ ୪୩,୦୯୮ ଲୋକ ସଂକ୍ରମିତ ହୋଇଛନ୍ତି । ଖାସକରି ଚୀନରେ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାରରୁ ଅଧିକ ରହିଛି । ମୃତକଙ୍କ ମଧ୍ୟରୁ ୯୦୮ ଜଣ ଚୀନରୁ ରହିଛନ୍ତି । କିନ୍ତୁ ବେସରକାରୀ ରିପୋର୍ଟ ଭିନ୍ନ ତଥ୍ୟ ଦେଉଛି । ଏପରିକି ପୂରା ଦୁନିଆ ଆଖିରୁ କରୋନାର ସତ ଲୁଚାଇବାକୁ ଚୀନ୍ ଚେଷ୍ଟା କରୁଥିବା କୁହାଯାଉଛି । ବାସ୍ତବରେ ଚୀନ୍ କରୋନାରେ ମୃତାହତଙ୍କ ସଂଖ୍ୟା ଯେତିକି ଦର୍ଶାଉଛି ତାହା ଠାରୁ ଏହି ସଂଖ୍ୟା ଢେର ଅଧିକ ରହିଛି ବୋଲି ଅଭିଯୋଗ ହେଉଛି । ଏପରିକି ସତ ଲୁଚାଇବା ପାଇଁ ଚୀନ୍ ମୃତଦେହ ଗୁଡିକୁ ପୋଡି ଦେଉଥିବା ଜାଣିବାକୁ ମିଳିଛି ।

ମୃତଦେହ ଜାଳିଲେ ସେଥିରୁ ସଲଫର ଡାଇଅକ୍ସାଇଡ ଗ୍ୟାସ ନିର୍ଗତ ହୋଇଥାଏ । କିନ୍ତୁ ଯେହେତୁ ଚୀନରେ ମୃତଦେହ ପୋତାଯିବାର ପରମ୍ପରା ରହିଛି ତେଣୁ ଏହି ଗ୍ୟାସ୍ କିଭଳିି ନିର୍ଗତ ହେଉଛି ତାହା ସନ୍ଦେହକୁ ବଢାଇ ଦେଉଛି । ଏସବୁ ଭିତରେ ବୁହାନରୁ କିଛି ସାଟେଲାଇଟ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ କିଛି ନିଆଁ ପିଣ୍ଡୁଳାର ଦୃଶ୍ୟ ଦେଖିବାକୁ ମିଳୁଛି । ଯାହା ଦର୍ଶାଉଛି ଯେ, ସଲଫର ଡାଇଅକ୍ସାଇଡ ଗ୍ୟାସ ପ୍ରବଳ ମାତ୍ରାରେ ନିର୍ଗତ ହେଉଛି ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସଲଫର ଡାଇଅକ୍ସାଇଡ ଗ୍ୟାସ୍ ସେତେବେଳେ ନିର୍ଗତ ହୋଇଥାଏ ଯେତେବେଳେ କୌଣସି ମେଡିକାଲକୁ ନଷ୍ଟ କରାଯାଏ ନଚେତ ମୃତଦେହକୁ ପୋଡାଯାଏ । ତେଣୁ ସାଟେଲାଇଟରୁ ମିଳୁଥିବା ଚିତ୍ର ଅନୁଯାୟୀ, ବୁହାନ ଅଞ୍ଚଳରୁ ପ୍ରବଳ ମାତ୍ରାରେ ସଲଫର ଡାଇଅକ୍ସାଇଡ ଗ୍ୟାସ୍ ନିଗର୍ତ ହେଉଛି । ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ବୁହାନ ଅଞ୍ଚଳରେ ହିଁ ମୃତଦେହ ଗୁଡିକୁ ଜଳାଯାଉଛି । ଏବେ ବୁହାନରେ ସଲଫର ଡାଇଅକ୍ସାଇଡର ସ୍ତର ୧୭୦୦ କ୍ୟୁବିକ୍ ମିଟର ରହିଛି । ଆଉ ଏହା ବିପଦ ସଂକେତର ୨୧ ଗୁଣା ଅଧିକ । ସାଧାରଣତଃ ସଲଫର ଡାଇଅକ୍ସାଇଡସ୍ତର ୮୦ କ୍ୟୁବିକ୍ ମିଟର ରହିଲେ ଏହାକୁ ବିପଦ ବୋଲି ଧରି ନିଆଯାଏ । କେବଳ ବୁହାନ ନୁହେଁ ଚୋଙ୍ଗକ୍ୱିଙ୍ଗରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି ।

ବିଶେଷଜ୍ଞ କହିବା କଥା ପ୍ରାୟ ୧୪ ହଜାର ମୃତଦେହ ପୋଡିଲେ ଯେତିକି ସଲଫର ଡାଇଅକ୍ସାଇଡ ଗ୍ୟାସ୍ ନିର୍ଗତ ହୋଇଥାଏ ଏବେ ସେତିକି ପରିମାଣରର ଗ୍ୟାସ୍ ନିର୍ଗତ ହେଉଛି । ସଲଫର ଡାଇଅକ୍ସାଇଡ ସମେତ ପାରା ଡାଇଅକ୍ସିନ ଓ ହାଇଡ୍ରୋକ୍ଲୋରିକ ଏସିଡ ଭଳି କେମିକାଲ ମଧ୍ୟ ନିର୍ଗତ ହେଉଛି । କିଛି ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯଦି ଏଭଳି ଭାଇରସ ବ୍ୟାପିବା ଜାରି ରୁହେ ତେବେ ଫେବ୍ରୁଆରୀ ଶେଷ ସୁଦ୍ଧା ପ୍ରାୟ ୫ ଲକ୍ଷ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇପାରନ୍ତି । ଯାହା ଭୟଙ୍କର ସ୍ଥିତି ଉପୁଜାଇପାରେ । ତେଣୁ କରୋନା ଭାଇରସକୁ ନେଇ ଏବେ ପୂରା ବିଶ୍ୱବାସୀ ଆତଙ୍କିତ ।