କନକ ବ୍ୟୁରୋ: ସୁରିଲା ସ୍ୱର, ମନଛୁଆଁ କଣ୍ଠ । ହୃହୟ କିଣିନେଲା ପରି ଗୀତ । ବ୍ୟସ୍ତ ବହୁଳ ରାଜଧାନୀର ଗାଡି ମଟରର କେଁ କାଁ ଭିତରେ, ଭିଡ ଫଟେଇ କାନରେ ବାଜୁଛି, ମନକୁ ଛୁଇଁଛି କାହା ସ୍ୱର । ଗୀତ ଶୁଣି ବାଟରେ ଯାଉଥିବା ଲୋକେ ବି ଘଡିଏ ଅଟକି ଯାଉଛନ୍ତି ଆଉ ଶୁଣୁଛନ୍ତି ସୁଲେଖାଙ୍କ କଣ୍ଠରେ ଲତାଙ୍କ ଗୀତ ।

Advertisment

ନା ଅଛି ମଞ୍ଚ ନା ଅଛି ଷ୍ଟୁଡିଓ । ନା ଅଛି ଅତ୍ୟାଧୁନିକ ମ୍ୟୁଜିକ ସିଷ୍ଟମ । ରାଜଧାନୀର ରାସ୍ତାରେ ଏମିତି ଗୀତ ଗାଇଚାଲିଛନ୍ତି ସୁଲେଖା । କାହା ପାଇଁ ଇଶ୍ବର ତ କାହା ପାଇଁ ଜୀବନ। କିନ୍ତୁ ସୁଲେଖାଙ୍କ ପାଇଁ ବଞ୍ଚିବାର ରାହା ପାଲଟିଛି ଏହି ସଙ୍ଗୀତ । ହାତରେ ମାଇକ୍ରୋଫୋନ ଆଉ ସ୍ପିକର ଧରି ରାଜଧାନୀର ଗଳିକନ୍ଦି ବୁଲି ଏମିତି ଗୀତ ଗାଇଚାଲିଛନ୍ତି ସୁଲେଖା । ତାଙ୍କ କଣ୍ଠରେ ଏମିତି ଯାଦୁ ଅଛି ଯେ ରାସ୍ତାରେ ଯାଉଥିବା ଲୋକ ବି କେଇ ମୁହୁର୍ତ୍ତ ଅଟକି ଯାଇ ଏକ ଲୟରେ ଶୁଣୁଛନ୍ତି ତାଙ୍କ ସୁମଧୁର ଗୀତ ।

ଦିନ ଥିଲା ଗୀତ ଶୁଣିବା ଥିଲା ତାଙ୍କ ସୌକ କିନ୍ତୁ କିଏ ବା ଜାଣିଥିଲା ଦିନେ ଏହି ଗୀତ ହିଁ ତାଙ୍କ ପେଟକୁ ଦାନ ଯୋଗାଇବ । ଗୀତ ଗାଇ ଅନ୍ୟଙ୍କୁ ଖୁସି କରାଉଥିବା ଏହି ମଣିଷ ଜୀବନରେ କେତେ ଯାତନା ସହିଛି , ସେ କଥା କେବଳ ସେ ହି ଜାଣେ । ମୁଣ୍ଡ ଉପରେ ଦୁଇ ପୁଅଙ୍କ ପାଠ ପଢାର ଦାୟିତ୍ୱ । ଏମିତି ଗୀତ ଗାଇ ଯାହା କିଛି ମିଳେ ସେଥିରେ ପରିବାର ଚଳିବା କଷ୍ଟ, କିନ୍ତୁ ଭାଗ୍ୟ କୁ ଆଦରି ରହିଯାନ୍ତି ସୁଲେଖା ।

ପଶ୍ଚିମବଙ୍ଗର ଗୋଟିଏ ଛୋଟିଆ ଗାଁରେ ତାଙ୍କ ଘର । କେତେବେଳେ ବସ ତ ପୁଣି କେତେବେଳେ ରେଳଗାଡିରେ ଯାତ୍ରା କରି ଲୋକଙ୍କୁ ଶୁଣାଇ ଚାଲିଛନ୍ତି ଗୀତ । କିଛି ଦିନ ହେବ ଭୁବନେଶ୍ୱରରେ ଏମିତି ଛକ ବଜାରରେ ଛିଡା ହୋଇ ଗୀତ ଗାଉଛନ୍ତି ସୁଲେଖା । ଜୀବନରେ ଅନେକ ଝଡଝଞ୍ଜା ଦେଖିଲେ ବି କେବେ ହାର ମାନି ନାହାନ୍ତି । ଟଙ୍କା ଅଭାବରୁ ଭୋକିଲା ରହିଯାଇଛନ୍ତି ସତ କିନ୍ତୁ କାହା ପାଖରେ ହାତ ପତେଇ ନାହାନ୍ତି । ତେବେ ସୁଲେଖାଙ୍କ ଆଖିରେ ଆଖିଏ ସ୍ବପ୍ନ । ସହରର ଭିଡ ଭିତରେ ସେ ଗୀତ ଗାଉଛନ୍ତି ସତ କିନ୍ତୁ ପରିଚୟ ପାଇଁ ନୁହେଁ ପେଟ ପାଇଁ । ଯଦି କେହି ତାଙ୍କ ଗୀତ ଶୁଣି ରାନୁ ମଣ୍ଡଳ କିମ୍ବା ଅନ୍ୟ ଭାଇରାଲ ଗୀତ ପରି ଚର୍ଚ୍ଚିତ ହୁଅନ୍ତେ ତେବେ ତାଙ୍କ ଭାଗ୍ୟ ବଦଳିଯାଆନ୍ତା ।