କନକ ବ୍ୟୁରୋ : ଧର୍ମ ପରିବର୍ତ୍ତନ କଲେ ଇଣ୍ଡୋନେସିଆର ପୂର୍ବତ୍ତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ । ଇଣ୍ଡୋନେସିୟନ୍ ନ୍ୟାସନାଲ ପାର୍ଟି ପିଏନଆଇର ସଂସ୍ତପକ ସୁକମାବତି ସୁକର୍ଣ୍ଣୋପୁତ୍ରୀ ତାଙ୍କ ୭୦ତମ ଜନ୍ମ ଦିବସରେ ଧର୍ମ ପରିବର୍ତ୍ତନ କରିଛନ୍ତି । ଗତ ମଙ୍ଗଳବାର ଦିନ ଇସଲାମ୍ ଧର୍ମକୁ ତ୍ୟାଗ କରି ହିନ୍ଦୁ ଧର୍ମକୁ ଆପଣାଇଛନ୍ତି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ସୁକମାବତି ସୁକର୍ଣ୍ଣୋପୁତ୍ରୀ ଇଣ୍ଡୋନେସିଆର ସବୁଠୁ ଅଧିକ ହିନ୍ଦୁ ଧର୍ମର ଲୋକ ବସବାସ କରୁଥିବା ‘ବାଲି’ ରାଜ୍ୟର ସିଂଗରାଜ ଜିଲ୍ଲାରେ ସକର୍ଣ୍ଣୋ ହେରିଟେଜ୍ ସେଣ୍ଟରରେ ନିଜର ଧର୍ମ ପରିବର୍ତ୍ତନ କରିଛନ୍ତି । ଏହି ସମୟରେ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖୁବ୍ କମ୍ ଲୋକ ସାମିଲ ହୋଇଥିଲେ । କରୋନା କଟକଣାକୁ ଦୃଷ୍ଟିରେ ରଖି ଏପରି କରାଯାଇଥିବା କୁହାଯାଉଛି ।
ତେବେ ସୁକମାବତି ସୁକର୍ଣ୍ଣୋପୁତ୍ରୀଙ୍କ ଧର୍ମ ପରିବର୍ତ୍ତନକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି । ଇସଲାମ୍ ଧର୍ମର ଲୋକେ ଏହାକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ମଧ୍ୟ ସୁକମାବତୀଙ୍କୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ସୁକମାବତୀଙ୍କ ଉପରେ ଇସଲାମ୍ ଧର୍ମକୁ ନିନ୍ଦା କରିଥିବାର ଅଭିଯୋଗ ମଧ୍ୟ ଲାଗିଥିଲା । ୨୦୧୮ରେ କିଛି ଇସଲାମ ସୁଦାୟର ଲୋକେ ସୁକମାବତୀଙ୍କ ଉପରେ ଏହି ଅଭିଯୋଗ ଆଣିଥିଲେ ।