କନକ ବ୍ୟୁରୋ: ସୁକିନ୍ଦା ଥାନାରେ ଭିଜିଲାନ୍ସ ରେଡ। ସୁକିନ୍ଦା ଥାନାର ସବ ଇନ୍ସପେକ୍ଟର ନିର୍ମଳ ଚନ୍ଦ୍ର ସେନାପତି ଜଣେ ଗାଡି ମାଲିକଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ସୂଚନା ମୁତାବକ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ ବାଲି ବୋଝେଇ ହାଇୱା ଜବତ କରି ସୁକିନ୍ଦା ଥାନାରେ ଜିମା ଦେଇଥିଲେ । ସେହି ହାଇୱା ଜବତ ଘଟଣାରେ ବୁଧବାର ଦିନ ସୁକିନ୍ଦା ପୋଲିସ କେସ ନଂ ୧୨୪/୨୩ ରେ ଏକ ମାମଲା ରୁଜୁ କରି ବାଲି ଗାଡି ଚାଳକ ମନୋହରପୁର ଗ୍ରାମର ପ୍ରକାଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହି ବାଲି ବୋଝେଇ ଗାଡ଼ିକୁ ଥାନାରୁ ଖଲାସ କରିବା ପାଇଁ ଗାଡି ମାଲିକଙ୍କଠାରୁ ସୁକିନ୍ଦା ଥାନାର ଏସଆଇ ନିର୍ମଳ ସେନାପତି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କଟକ ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଥିଲେ । ଏହି ଘଟଣାରେ ଭିଜିଲାନ୍ସ ଟିମ୍ ସୁକିନ୍ଦା ଥାନା ଏସଆଇ ନିର୍ମଳ ସେନାପତିଙ୍କ ବାସଗୃହରେ ଚଢ଼ାଉ କରିବା ପରେ ଅଧିକ ତଦନ୍ତ ପାଇଁ ତାଙ୍କୁ କଟକ ନେଇଥିବା ଜଣା ପଡିଛି।