କଂଗ୍ରେସର ବଡ ନିଷ୍ପତ୍ତି । ସୁଖବିନ୍ଦର ସିଂ ସୁଖୁ ରହିବେ ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ, ପ୍ରତିଭା ସିଂ କହିଲେ ଲୋକସଭା ନିର୍ବାଚନରେ ଜିତିବୁ ସବୁ ଆସନ ।

100

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ଲାଗି ରହିଥିବା ରାଜନୈତିକ ସଙ୍କଟରେ ପଡିଛି ପୂର୍ଣ୍ଣଚ୍ଛେଦ । ହିମାଚଳପ୍ରଦେଶରେ ମୁଖ୍ୟମନ୍ତ୍ରୀ ରହିବେ ସୁଖବିନ୍ଦର ସିଂ ସୁଖୁ । ଏନେଇ ସ୍ପଷ୍ଟ କରିଛନ୍ତି କଂଗ୍ରେସ ପକ୍ଷରୁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ଡିକେ ଶିବକୁମାର । ସାମ୍ବାଦିକ ସମ୍ମିଳନୀରେ ଡିକେ ଶିବକୁମାର କହିଛନ୍ତି, ହିମାଚଳପ୍ରଦେଶରେ ଆମେ ରାଜ୍ୟସଭା ସିଟ୍ ହରାଇଲୁ ଏହା ବହୁତ ଦୁଃଖଦ କଥା । ପୂରା ଦେଶ ହିମାଚଳପ୍ରଦେଶର ରାଜ୍ୟସଭା ନିର୍ବାଚନ ଦେଖିଲା । କିନ୍ତୁ ଏବେ ଆମେ ଏକାଠି ଅଛୁ ଏବଂ ଆମ ପାଖରେ ଆବଶ୍ୟକୀୟ ସଂଖ୍ୟା ମଧ୍ୟ ରହିଛି । ଆମେ ଏକ ସମନ୍ୱୟ କମିଟି ଗଠନ କରିଛୁ । ଯେଉଁ କମିଟି ସରକାର ଓ ଦଳ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବ ।

ସେହିଭଳି ଅନ୍ୟତମ ପର୍ଯ୍ୟବେକ୍ଷକ ଭୂପିନ୍ଦର ହୁଡ୍ଡା କହିଛନ୍ତି, ଆମେ ରାଜ୍ୟସଭା ଆସନ କାହିଁକି ହରାଇଲୁ ତାହା ଉପରେ ଚର୍ଚ୍ଚା ହୋଇଛି । ଆମେ ସମସ୍ତଙ୍କର ମତଭେଦ ଦୂର କରିଛୁ । ଏବେ ଆମେ ଏକାଠି ହୋଇ ଲୋକସଭା ନିର୍ବାଚନ ଲଢିବୁ ଏବଂ ଜିତିବୁ । ହିମାଚଳପ୍ରଦେଶରେ କଂଗ୍ରେସର ୫ ବର୍ଷର ସରକାର ଚାଲିବ । ସେହିଭଳି ପ୍ରତିଭା ସିଂ କହିଛନ୍ତି, ଆମେ ରାଜ୍ୟସଭା ସିଟ୍ ଜିତିପାରିଲୁ ନାହିଁ ଏହା କଷ୍ଟଦାୟକ କିନ୍ତୁ ଲୋକସଭା ନିର୍ବାଚନ ପାଇଁ ଏବେଠୁ ପରିଶ୍ରମ କରିବୁ ଏବଂ ସବୁ ସିଟରେ ବିଜୟ ହାସଲ କରିବୁ । ଏହି ବୈଠକରେ ଦୁଇ ପର୍ଯ୍ୟବେକ୍ଷକଙ୍କ ସହ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଓ ପ୍ରତିଭା ସିଂ ମଧ୍ୟ ଉପସ୍ଥିତ ଥିଲେ ।