କନକ ବ୍ୟୁରୋ : ଶହଶହ କୋଟି ଟଙ୍କାର ଅର୍ଥ ହେରଫେର ଓ ଠକେଇ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଫଟୋ ଭାଇରାଲ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନଜରକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ। ଠକେଇ ମାମଲାରେ ତାଙ୍କୁ ପଚରାଉଚରା କରାଯିବା ପରେ ଅନେକ ଘଟଣା ଉପରୁ ପରଦା ହଟିଥିଲା। ସୁକେଶଙ୍କଠାରୁ ଜ୍ୟାକଲିନ ଅନେକ ଦାମୀ ଉପହାର ନେଇଥିବା କଥା ଇଡି ସ୍ପଷ୍ଟ କରିଥିବା ବେଳେ ଏବେ ଆଉ ଏକ ଖବରକୁ ନେଇ ଖୁବ ଚର୍ଚ୍ଚା ହେଉଛି।

Advertisment

ଜ୍ୟାକଲିନଙ୍କୁ ଖୁସି କରାଇବା ପାଇଁ ସୁକେଶ ୩ଟି ଭାଗରେ ମହିଳା ସୁପରହିରୋ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ, ଯାହାର ବଜେଟ ୫୦୦କୋଟି ରଖାଯାଇଥିବା ସୂଚନା ମିଳିଛି। ଜ୍ୟାକଲିନଙ୍କୁ ନିଜ ପ୍ରେମ ଜାଲରେ ଫସାଇବାକୁ ସୁକେଶ ଅନେକ ଫିଲ୍ମ ତିଆରି କରିବାକୁ ପ୍ରତିଶ୍ରୁତି ଦେବା ସହ ତାଙ୍କୁ ଉପହାର ଉପରେ ଉପହାର ଦେଉଥିଲେ।

ମିଳିଥିବା ସୂଚନା ମୁତାବକ, ସୁକେଶ ବହୁତ ଭଲ ଭାବରେ ଜାଣିଥିଲେ ଯେ ଜ୍ୟାକଲିନ ବଲିଉଡରେ କାମ ଖୋଜୁଥିଲେ। ତାଙ୍କ ପାଖକୁ ଅଧିକ ଫିଲ୍ମ ଆସୁନଥିଲା। ଏହାର ଫାଇଦା ଉଠାଇ ସୁକେଶ ଜ୍ୟାକଲିନଙ୍କୁ ନେଇ ୫୦୦କୋଟିର ମହିଳା ସୁପରହିରୋ ଫିଲ୍ମ ନିର୍ମାଣ କରିବେ ବୋଲି କହିଥିଲେ। ଏହା ସହ ସେ ଜ୍ୟାକଲିନଙ୍କୁ କହିଥିଲେ ଯେ, ସେ ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ପରି ଅଟନ୍ତି ଏବଂ ସେ ସୁପରହିରୋ ଭଳି ଫିଲ୍ମରେ କାମ କରିବାକୁ ଯୋଗ୍ୟ। ପ୍ରଥମେ ଜ୍ୟାକଲିନ ଏହାକୁ ବିଶ୍ବାସ କରୁନଥିଲେ ବି ପରେ ସେ ସୁକେଶଙ୍କ କଥାକୁ ବିଶ୍ବାସ କରିବା ଆରମ୍ଭ କରିଥିଲେ।

ସୁକେଶଙ୍କ ନାଁରେ ଏକ ମହିଳାଙ୍କ ଠାରୁ ୨୦୦ କୋଟି ଟଙ୍କା ହେରଫେର କରିଥିବା ନେଇ ଅଭିଯୋଗ ରହିଛି । ଯାହାର ଯାଞ୍ଚ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରୁଛି । ଫେବ୍ରୁଆରୀ ୨୦୨୧ରୁ ୭ ଅଗଷ୍ଟ ୨୦୨୧ ଯାଏଁ ସମ୍ପର୍କରେ ରହିଥିଲେ ଜ୍ୟାକଲିନ୍ । ଅଥାର୍ତ ସୁକେଶ ଗିରଫ ପର୍ଯ୍ୟନ୍ତ ଜ୍ୟାକଲିନଙ୍କ ସମ୍ପର୍କରେ ରହିଥିଲେ । ଏପରିକି ଜେଲରେ ଥିଲେ ମଧ୍ର ୧୦ କୋଟି ଟଙ୍କାର ଉପହାର ପଠାଇଥିଲେ ସୁକେଶ । ଯେତେବେଳେ ଜାମିନରୁ ବାହାରିଥିଲେ ସେତେବେଳେ ଜ୍ୟାକଲିନଙ୍କ ପାଇଁ ଚାର୍ଟର ପ୍ଲେନ ମଧ୍ୟ ବୁକ୍ କରିଥିଲେ ସୁକେଶ । ଯାହାଫଳରେ ମୁମ୍ବାଇରୁ ଚେନ୍ନାଇକୁ ସହଜରେ ଆସିପାରିବେ ଜ୍ୟାକଲିନ ।