କନକ ବ୍ୟୁରୋ: ମହାଠକ ଭାବେ ଜଣାଶୁଣା ସୁକେଶ ଚନ୍ଦ୍ରଶେଖରର ଗୁମର ଖୋଲୁଛି । ୨୦୦ କୋଟି ଟଙ୍କା ଠକିଥିବା ସୁକେଶ ସହ ସର୍ମ୍ପକରେ ଥିବା ସେଲିବ୍ରିଟିଙ୍କ ନାଁ ଗୋଟିଏ ଗୋଟିଏ ପରେ ବଢିବାରେ ଲାଗିଛି । ପୂର୍ବରୁ ଏହି ଠକ ସମ୍ପର୍କରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଓ ନୋରା ଫତେହି ଥିବା କୁହାଯାଉଥିବାବେଳେ ଏବେ ଏହି ତାଲିକାରେ ଯୋଡି ହୋଇଛି ସାରା ଅଲ୍ଲି ଖାନ୍ ,ଜାହ୍ନବୀ କପୁର ଓ ଭୂମି ପେଡନେକରଙ୍କ ନାଁ । ପ୍ରବର୍ତ୍ତନ ନିଦ୍ଦେଶାଳୟର ଯାଞ୍ଚରେ ଏହି ତଥ୍ୟ ପ୍ରକାଶ ପାଇଛି ।

Advertisment

ଜେରା ବେଳେ ସୁକେଶ ଚନ୍ଦ୍ରଶେଖର ସାରା ଅଲି ଖାନ୍ , ଜାହ୍ନବୀ କପୁର ଓ ଭୂମି ପେଡନେକରଙ୍କ ନାଁ ନେଇଛି । ତା’ କହିବା ମୁତାବକ, ୨୦୨୧ରେ ସାରାଙ୍କୁ ଟାର୍ଗେଟ କରିଥିଲା ସୁକେଶ । ମେ ୨୧ ତାରିଖରେ ସୁକେଶ ସାରାଙ୍କୁ ହ୍ୱାଟ୍ସଆପରେ ମ୍ୟାସେଜ କରିଥିଲା । ସେ ନିଜର ପରିଚୟ ସୁରଜ ରେଡ୍ଡି ବୋଲି ଦେଇଥିଲା । ସେ ସାରାଙ୍କୁ ପାରିବାରିକ ଦୃଷ୍ଟିରୁ ଏକ କାର ଗିଫ୍ଟ କରିବାକୁ ଚାହୁଁଥିବା କହିଥିଲା । ହେଲେ ଏଥିରେ ଅମଙ୍ଗ ହୋଇଥିଲେ ସାରା । ଏହାପରେ ସାରାଙ୍କୁ କଲ କରିଥିଲେ ସୁକେଶର ସହଯୋଗୀ ଭାବେ କାମ କରୁଥିବା ପିଙ୍କି ଈରାନୀ । ଶେଷରେ ସୁକେଶ ଦ୍ୱାରା ଅଫର କରାଯାଇଥିବା ଉପହାରକୁ ବାଧ୍ୟରେ ଗ୍ରହଣ କରିଥିଲେ ସାରା । ଏନେଇ ଇଡି ପକ୍ଷରୁ ସାରାଙ୍କୁ ନୋଟିସ୍ ହେବାରୁ ଏକ ବିସ୍ତୁତ ଆଲେଖ୍ୟ ଇଡିରେ ଦାଖଲ କରିଥିଲେ ସାରା । ଏଥିରେ ସାରା ଲେଖିଥିଲେ ଯେ, ସୁକେଶ ଗିଫ୍ଟ ଦେବାକୁ କହିଥିଲେ ବି ଏହାକୁ ବାରମ୍ବାର ଅସ୍ୱୀକାର କରିଥିଲେ ସାରା । କିନ୍ତୁ ମାନିନଥିଲା ସୁକେଶ । ଶେଷରେ ବାଧ୍ୟ ହୋଇ ଏକ ଚକଲେଟ ପ୍ୟାକେଟ ପଠାଇବାକୁ କହିଥିଲେ । ହେଲେ ଚକଲେଟ୍ ପ୍ୟାକେଟ ସହ ଏକ ଫ୍ରାଙ୍କ୍ ମଲର ଘଡି ଉପହାର ଦେଇଥିଲା ସୁକେଶ, ଏହାର ଭାରତୀୟ ମୂଲ୍ୟ ୧ ଲକ୍ଷରୁ ଅଧିକ ହେବ ।

ଏତିକିରେ ସରିଲାନି ସୁକେଶର କେଳେଙ୍କାରୀ । ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଛାଡିନଥିଲା । ପତ୍ନୀ ଲୀନା ମାରିୟା ପଲଙ୍କ ମାଧ୍ୟମରେ ଜାହ୍ନବୀକୁ ଟାର୍ଗେଟ କରିଥିଲା ସୁକେଶ । ଜାହ୍ନବୀଙ୍କୁ ସୁକେଶର ସ୍ତ୍ରୀ ଲୀନା ପୁରା ୧୮ ଲକ୍ଷ ଟଙ୍କା ଉପହାର ଭାବେ ଦେଇଥିଲେ । ଏସବୁ ସେହି ଟଙ୍କା ଯାହାକୁ ପତ୍ନୀ ସହ କଳାରୁ ଧଳା କରିଥିଲା ସୁକେଶ । ଜାହ୍ନବୀଙ୍କୁ ଏକ ପାର୍ଲର ମାଲିକାଣୀ ପରିଚୟ ଦେଇଥିଲେ ସୁକେଶର ପତ୍ନୀ ମାରିୟା । ୨୦୨୧ ଜୁଲାଇ ୧୯ ତାରିଖରେ ଏକ ପାର୍ଲର ଓପନିଙ୍ଗ କରିବାକୁ ନିମନ୍ତ୍ରଣ କରି ଜାହ୍ନବୀଙ୍କୁ ଡକାଇଥିଲେ ଓ ଏହି ସମୟରେ ତାଙ୍କୁ ୧୮ ଲକ୍ଷ ଟଙ୍କାର ଉପହାର ଦେଇଥିଲେ ।

କିଛି ଦିନ ପୂର୍ବରୁ ପ୍ରକାଶ ପାଇଥିବା ଖବର ମୁତାବକ, ସୁକେଶ କାନାଡିୟାନ୍ ଡାନ୍ସର ଓ ବଲିଉଡ ଆକ୍ଟ୍ରେସ୍ ନୋରା ଫତେହିଙ୍କୁ ବିଏମଡବ୍ଲୁ କାର୍, ହୀରା ଅଳଙ୍କାର ସମେତ, ଦାମୀ କୁକୁର ଓ କୋଟି କୋଟି ଟଙ୍କା ଉପହାରରେ ଦେଇଥିଲେ । ସୁକେଶ ଶ୍ରୀଲଙ୍କାରେ ଜନ୍ମିତ ଜ୍ୟାକଲିନଙ୍କୁ ପାଖାପାଖି ୧୦ କୋଟି ଟଙ୍କାର ଉପହାର ଦେଇଥିବା ଜଣାପଡିଥିଲା ।