ଆଜି ଶଙ୍ଖ ଧରିବେ ସୁକାନ୍ତ ଓ ଚିରଞ୍ଜିବୀ ! ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ବିଜେଡିରେ ହେବେ ସାମିଲ ।

831

କନକ ବ୍ୟୁରୋ : ବିଜେଡିରେ ଯୋଗ ଦେବେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏବଂ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଉଭୟ ଚିରଞ୍ଜିବୀ ଓ ସୁକାନ୍ତ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେବେ ।

ନୀଳଗିରିରୁ ବିଜେପି ବିଧାୟକ ଥିବା ସୁକାନ୍ତ ନାୟକ ଗତ ଶୁକ୍ରବାର ବିଜେପିରୁ ଇସ୍ତଫାପତ୍ର ଦେଇଥିଲେ । ଏହାପୂର୍ବରୁ ୨୦୧୪ରେ ବିଜେଡି ଟିକେଟରୁ ବିଜୟୀ ହୋଇଥିଲେ ସୁକାନ୍ତ । ତେବେ ୨୦୧୯ରେ ଟିକେଟ ନ ମିଳିବାରୁ ବିଜେପିରେ ଯୋଗ ଦେଇ ବିଜୟୀ ହୋଇଥିଲେ । କିନ୍ତୁ ୨୦୨୪ରେ ପୁଣିଥରେ ପୁରୁଣା ଘରକୁ ବାହୁଡିବାକୁ ମନ ବଳାଇଛନ୍ତି ସୁକାନ୍ତ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁକାନ୍ତଙ୍କୁ ନୀଳଗିରିରୁ ବିଧାୟକ ପ୍ରାର୍ଥୀ କରିପାରେ ବିଜେଡି ।

ସେହିଭଳି କଂଗ୍ରେସର ଟାଣୁଆ ନେତା ତଥା ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ ମଧ୍ୟ ଶନିବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଚିରଞ୍ଜିବୀ ଏହାପୂର୍ବରୁ ତିର୍ତ୍ତୋଲ ଓ ଜଗତସିଂହପୁରରୁ ବିଧାୟକ ରହି ସାରିଛନ୍ତି । ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଜଗତସିଂହପୁରରେ ବରିଷ୍ଠ ନେତାଙ୍କ ଅନ୍ୱେଷଣରେ ଥିଲା ବିଜେଡି । ଚିରଞ୍ଜିବୀଙ୍କୁ ଦଳରେ ସାମିଲ କରି ଏହି ଶୂନ୍ୟସ୍ଥାନ ପୂରଣ କରିବାକୁ ଚାହୁଁଥାଇପାରନ୍ତି ବିଜେଡିର ଶୀର୍ଷ ନେତୃତ୍ୱ । ଚିରଞ୍ଜିବୀଙ୍କୁ ଦଳରେ ସାମିଲ କଲେ ମଧ୍ୟ କେଉଁଠୁ ପ୍ରାର୍ଥୀ କରିବେ ତାହାକୁ ନେଇ ସସପେନ୍ସ ଲାଗି ରହିଛି । କାରଣ ପୂର୍ବରୁ ଜଗତସିଂହପୁରରୁ ବିଧାୟକ ଥିବା ଚିରଞ୍ଜିବୀ ଏବେ ପାରାଦ୍ୱୀପ ମୁହାଁ ହେଉଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଚିରଞ୍ଜିବୀଙ୍କ ଆସନକୁ ନେଇ କୌଣସି ସ୍ପଷ୍ଟ ସଂକେତ ମିଳି ପାରିନାହିଁ ।