କନକ ବ୍ୟୁରୋ: ସିଏ ଅଜଣା ଶବର ସାଥୀ, ସିଏ ବି ଅସହାୟ ଲୋକଙ୍କ ଅସମୟର ସାଥୀ । ଯାହାର କେହି ନାହିଁ ତାର ଶୁକଦେବ ଅଛନ୍ତି ଏବଂ ତାଙ୍କ ସଂଗଠନ ଅଛି । ଯଦି କାହାର ବାପାମାଆଙ୍କ ଅକାଳ ବିୟୋଗ ହୁଏ ଆଉ ସେମାନଙ୍କ ପୁଅ ବିଦେଶରେ ଥାଏ କିମ୍ବା ସମ୍ପର୍କୀୟମାନେ ନଥାନ୍ତି ତେବେ ଏମିତି ଏକ ସଙ୍କଟ ସମୟରେ ସାହାରା ସାଜନ୍ତି ଶୁକଦେବ । ଅସହାୟ ପରିବାର ସାମ୍ନାରେ ଦେବଦୂତ ସାଜି ଶବକୁ କାନେ୍ଧଇ ଦାହ ସଂସ୍କାର କରନ୍ତି ବାଲେଶ୍ୱର ବାଲିଆପାଳ ନାରାୟଣପୁର ଗାଁର ଶୁକଦେବ ହାଜିରା ।

Advertisment

ସ୍ଥାନୀୟ ଅଞ୍ଚଳରେ କାହାର ମୃତ୍ୟୁ ହେଲେ ସମସ୍ତେ ଉକ୍ତ ପରିବାରକୁ ସମବେଦନା ଜଣାନ୍ତି, କାନ୍ଦନ୍ତି କିନ୍ତୁ କେହି ଶବ ଛୁଇବାକୁ କିମ୍ବା ଶବ ବୋହିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଶୁକଦେବ ସେହି କାନ୍ଦ ବୋବାଳି ଭିତରୁ ହିଁ ଶବକୁ କାନେ୍ଧଇ ମାଲଭାଇ ସାଜିଥାନ୍ତି ।

ଶୁକଦେବ ପେଶାରେ ଚାଷୀ ହୋଇଥିବା ବେଳେ ନିଶା ତାଙ୍କର ଶବ ସଂସ୍କାର କରିବା । ନିଜ ଗାଁ, ଆଖପାଖ ଗାଁ ସମେତ ୨୮ଟି ପଞ୍ଚାୟତରେ ଶବର ଶେଷ ସଂସ୍କାର କରିଛନ୍ତି ଶୁକଦେବ । ୨୦୦୨ ମସିହାରୁ ସେ ଏହି କାମ କରି ଆସୁଥିବା ବେଳେ ଏ ପର୍ଯ୍ୟନ୍ତ ପ୍ରାୟ ଦେଢ ହଜାରରୁ ଅଧିକ ଶବର ସଂସ୍କାର ସେ ଏକାକୀ କରି ସାରିଲେଣି ।

ତାଙ୍କର ଏହି ମହତ କାମକୁ ସମସ୍ତେ ପ୍ରଶଂସା କରିବା ସହ ତାଙ୍କ କାମରୁ ଯୁବପିଢି ପ୍ରେରଣା ପାଇ ତାଙ୍କ ସହ ଯୋଡି ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଆଉ ୨୦୨୩ରେ ଶ୍ମଶାନ ସାଥି ନାମକ ଏକ ସଂଗଠନ କରିଛନ୍ତି ଯେଉଁମାନେ କି ବର୍ତ୍ତମାନ ସୁଦ୍ଧା ୨୦୦ରୁ ଅଧିକ ଶବ ସକ୍ରାର କରିସାରିଛନ୍ତି ।

ତେବେ କୋକେଇ ବାନ୍ଧିବା ଠାରୁ କାଠ କାଟିବା, ଜୁଇ ସଜାଡିବା ଠାରୁ ଶବଦାହ କରିବା । ଦାହ ସଂସ୍କାରର ସବୁଯାକ କାମ ମାଗଣାରେ କରନ୍ତି ଏହି ସଙ୍ଗଠନର ସଦସ୍ୟ । ଶବଦାହ ପାଇଁ ଫୋନ ଯେଉଁଠୁ ବି ଆସେ ଏମାନେ ବାହାରି ଯାଆନ୍ତି ଶବର ଅନ୍ତିମ ସକ୍ରାର କରିବାକୁ । ସତରେ ସେବା ମନୋବୃତି ଥିବା ଏହି ସଂଗଠନର ସମସ୍ତ ସଦସ୍ୟଙ୍କୁ ଶତ ଶତ ସଲାମ ।