ସୁଜାତାକୁ ସୁଯୋଗ ଦେଲା ବିଜେଡି । ଏସଏଚଜି ସଭାପତିରୁ ବିଧାୟିକା ପ୍ରାର୍ଥୀ

4,213

କନକ ବ୍ୟୁରୋ : ଶୀର୍ଷ ନେତାଙ୍କ ସାଥିରେ ଥିବା ମହିଳାଙ୍କ ସାଧନାକୁ ଦଳୀୟ ସ୍ୱୀକୃତି ମିଳିଛି । ଦିନେ ସମିତି ସଭ୍ୟ ଭାବେ ରାଜନୈତିକ ଯାତ୍ରା ଆରମ୍ଭ କରିିଥିବା ସୁଜାତା ସାହୁ, ଏବେ ବ୍ଲକରୁ ଉଠି ବିଧାନସଭାକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । କାରଣ, ତାଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଯାଜପୁର ଭଳି ଗୁରୁତ୍ୱପୂର୍ଣ୍ଣ ଆସନରୁ ଟିକେଟ୍ ମିଳିଛି ।

ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଯେଉଁ ଆସନରୁ ବିଜୟୀ ହୋଇ ଆସୁଥିଲେ ସେହି ଯାଜପୁର ଆସନରୁ ପ୍ରାର୍ଥୀ ହେବେ ସୁଜତା ସାହୁ । ସୁଜାତାଙ୍କ କାହାଣୀ ଏତେ ସଜହ ନଥିଲା, ହେଲେ ତାଙ୍କ ସଂଘର୍ଷ, ସଫଳତା ଆଡକୁ ଟାଣି ଆଣିଛି । ମା’ ସରସ୍ୱତୀ ଏସଏଚଜି ଗୋଷ୍ଠୀର ସଭାପତି ଭାବେ ଦାୟୀତ୍ୱ ନେଉ ନେଉ ତାଙ୍କ ଭିତରେ ଗଢ଼ି ଉଠିଥିବା ନେତୃତ୍ୱ ନେବାର କଳା । ଯାହା ତାଙ୍କୁ ତଳିହା ପଂଚାୟତର ସମିତି ସଭ୍ୟା, ଦଶରଥପୁର ପଂଚାୟତର ସମିତି ଅଧ୍ୟକ୍ଷା ଏବଂ ପରବର୍ତୀ ସମୟରେ ଏସଏଚଜି ଜିଲ୍ଳାସ୍ତରୀୟ କମିଟିର ଅଧ୍ୟକ୍ଷ ଦାୟୀତ୍ୱ ତୁଲାଇଛନ୍ତି ।

ସ୍ୱୟଂ ସହାୟକ ଗୋଷ୍ଠୀର ସକ୍ରୀୟ କର୍ମୀଭାବେ ସାରା ରାଜ୍ୟର ଦୃଷ୍ଟି ଆକର୍ଷଣ କରିଥିଲେ ସୁଜାତା । ସୁଜାତାଙ୍କୁ ଟିକେଟ ମିଳିବା ପରେ ତାଙ୍କ ସହ କାମ କରୁଥିବା ମହିଳାମାନେ ବେଶ ଖୁସି ।

ସୁଜାତା ସାହୁଙ୍କ ନାଁ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛି ବିଜେଡି. ଠିକ୍ ଯେମିତି ୨୦୧୯ ନିର୍ବାଚନରେ ଆସ୍କା ସଂସଦୀୟ କ୍ଷେତ୍ର ପାଇଁ ପ୍ରମିଳା ବିଶୋୟୀଙ୍କ ନାଁ ଘୋଷଣା ସମସ୍ତଙ୍କୁ ଚକିତ କରିଦେଇଥିଲା । ତେବେ ସୁଜାତାଙ୍କ ନାଁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା ହେବା ୭୦ ଲକ୍ଷ ଏସଏଚଜି ମହିଳାଙ୍କୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ହେଉଛି ।