କରୋନା, କେବେ ମାରୁଛି ତ କେବେ ମରିବାକୁ ବାଧ୍ୟ କରୁଛି: କୋଭିଡ-୧୯ରେ ନିଜ ଲୋକଙ୍କ ମୃତ୍ୟୁ ପରେ ଭାଙ୍ଗିପଡୁଛନ୍ତି ସମ୍ପର୍କୀୟ; ବାଛି ନେଉଛନ୍ତି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ

ମାନସିକ ଚାପରୁ ବର୍ତ୍ତିବା ପାଇଁ ଅମିତାଭଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ଭିଡିଓ ବାର୍ତ୍ତା

381

କନକ ବ୍ୟୁରୋ: କରୋନା ସଂକ୍ରମଣରେ ନିଜ ଲୋକଙ୍କ ଜୀବନ ଚାଲିଯିବା ପରେ କିଭଳି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ପରିବାର ସଦସ୍ୟ । କରୋନା କିଭଳି କାଳ ସାଜିପାରେ ଏବଂ ଏଥିରେ ଗୋଟିଏ ପରିବାର ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇପାରେ ତାର ଏକ ହୃଦୟ ବିଦାରକ ଚିତ୍ର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରୁ ଆସିଛି । କରୋନା ଯୋଦ୍ଧା ଭାବେ କାମ କରୁଥିବା ଏକମାତ୍ର ପୁଅର କରୋନାରେ ମୃତ୍ୟୁ ହେବାପରେ ବାପା, ମାଆ ଆତ୍ମହତ୍ୟା କରିଛନ୍ତି । ବେକରେ ରଶି ଲଗାଇ ବାପା ବରଗଛରେ ଓହଳି ପଡିଥିବାବେଳେ ମାଆ ମଧ୍ୟ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ସେହିପରି ଜଗତସିଂହପୁର ମେଡିକାଲ ଆଇସୋଲେସନ ୱାର୍ଡରେ ସ୍ୱାମୀଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କରିଥିଲେ ସ୍ତ୍ରୀ । ହସ୍ପିଟାଲ ପକ୍ଷରୁ ସ୍ୱାମୀଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ କରି ସେ ଜୀବନ ହାରି ଦେଇଥିବା ଏକ ଅଡିଓ ମେସେଜ ମଧ୍ୟ ସାମ୍ନାକୁ ଆସିଛି । ତେଲେଙ୍ଗାନାରୁ ଫେରିଥିବା ଏହି ଦମ୍ପତିଙ୍କ ମଧ୍ୟରୁ ସ୍ୱାମୀଙ୍କଠାରେ କରୋନା ଲକ୍ଷଣ ଦେଖାଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ତାଙ୍କ ଜୀବନ ରକ୍ଷା କରିବା ସମ୍ଭବ ହୋଇନଥିଲା ।  ପୂର୍ବରୁ ସେହି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗରରେ ମଧ୍ୟ ଏଭଳି ଏକ ଆତ୍ମହତ୍ୟା ଖବର ଆସିଥିଲା । ବାରିପଦାରେ ମଧ୍ୟ ଜଣେ ଯୁବକ କରୋନା ସଂକ୍ରମିତ ହେବା ପରେ ସମାଜ ଭୟରେ ଆତ୍ମହତ୍ୟା କରିବା ଭଳ ଖବର ଚାଂଚଲ୍ୟ ସୃଷ୍ଟି କରିଥିଲା । ତେଣୁ ଚର୍ଚ୍ଚା ହେଉଛି କରୋନା କାଳରେ ମାନସିକ ଚାପ ବଢିବାରେ ଲାଗିଛି । କେତେବେଳେ ସାମାଜିକ ବାସନ୍ଦ ଭୟରେ ତ ପୁଣି କେତେବେଳେ ନିଜ ଲୋକଙ୍କ ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି ସଂପର୍କୀୟ ।