ପ୍ରତିବର୍ଷ ବଢ଼ିଚାଲିଛି ଆତ୍ମହତ୍ୟା । ଏନସିଆରବି ତଥ୍ୟ ଅନୁସାରେ ହତ୍ୟା ମାମଲା ତୁଳନାରେ ଆତ୍ମହତ୍ୟା ମାମଲା ଢେର ଅଧିକ ।

171

କନକ ବ୍ୟୁରୋ: ହତ୍ୟା ତୁଳନାରେ ବଢୁଛି ଆତ୍ମହତ୍ୟା । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଜାତୀୟ ଅପରାଧ ରିପୋର୍ଟ ବ୍ୟୁରୋର ତଥ୍ୟ କହୁଛି ଭାରତରେ ଆତ୍ମହତ୍ୟାର ସଂଖ୍ୟା ବଢିବାରେ ଲାଗିଛି । ଓଡିଶାରେ ବି ହତ୍ୟା ତୁଳନାରେ ଆତ୍ମହତ୍ୟା ଅଧିକ ହୋଇଥିବା ରିପୋର୍ଟ ହୋଇଛି ।

ଏନସିଆରବି ତଥ୍ୟ ଅନୁସାରେ, ରାଜ୍ୟରେ ବର୍ଷକୁ ଯେତିକି ହତ୍ୟା ମାମଲା ଦାୟର ହେଉଛି, ତାହାଠାରୁ ୩ ଗୁଣ କିମ୍ବା ତା’ଠାରୁ ଅଧିକ ହେଉଛି ଆତ୍ମହତ୍ୟା । ୨୦୧୮ରେ ୧୩ ଶହ ୭୮ ହତ୍ୟା ମାମଲା ହୋଇଥିବା ବେଳେ ଆତ୍ମହତ୍ୟା ହୋଇଥିଲା ୪୪୪୭ । ୨୦୧୯ରେ ମଧ୍ୟ ତଥ୍ୟ ମଧ୍ୟ ସେହିପରି ଥିଲା । ଆଉ କରୋନା ସମୟରେ ଅର୍ଥାତ ୨୦୨୦ରେ ହତ୍ୟା ମାମଲା ୧୪ ଶହ ୭୦ ଥିବା ବେଳେ ୫ ହଜାର ୪୮୨ ଜଣ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ ।

  • ଗତ ୬ ବର୍ଷରେ ରାଜ୍ୟରେ ୨୮,୨୪୯ ଆତ୍ମହତ୍ୟା ମାମଲା
  • ୨୦୨୧ରେ ଆସିଛି ୫,୬୪୯ ଆତ୍ମହତ୍ୟା ମାମଲା
  • କଟକ ଜିଲ୍ଲାରେ ସର୍ବାଧିକ ୩,୩୨୫ ଆତ୍ମହତ୍ୟା

ପ୍ରତିବର୍ଷ ଏହି ସଂଖ୍ୟା ବଢିବାରେ ଲାଗିଛି । ଯାହା ହତ୍ୟା ମାମଲା ଠାରୁ ୨ରୁ ୩ ଗୁଣା ଅଧିକ ହୋଇଥିବା ତଥ୍ୟ କହୁଛି । ମାତ୍ର କେଇ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାର ନିଷ୍ପତି ନେଇପାରନ୍ତି ବୋଲି ମନୋଚିକିତ୍ସକ କହିଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବିଷାଦରେ ରହି ଜଣେ ମଣିଷ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତିି ନେଇଥାନ୍ତି ।

  • କାହିଁକି ବଢୁଛି ଆତ୍ମହତ୍ୟା?
  • ମାନସିକ ଚାପ, ପ୍ରତିଯୋଗିତା ଯୋଗୁଁ ବଢୁଛି କି ବିଷାଦ?
  • କରୋନା ସମୟରେ ହୋଇଛି ଅଧିକ ଆତ୍ମହତ୍ୟା

ଏବେ ଦିନକୁ ଦିନ ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗୀତା ଚାଲିଛି । ପାଠ ପଢିବା ଠାରୁ ଚାକିରୀ କରିବା ଯାଏ ସବୁଠି ଚାପଗ୍ରସ୍ତ ହେଉଛି ମଣିଷ । ଧିରେ ଧିରେ ବିଷାଦ ବଢୁଛି । ଆଉ ଆତ୍ମହତ୍ୟା ଭଳି ନିଷ୍ପତି ନେବାକୁ ପଛାଉନାହିଁ ମଣିଷ । କୋଭିଡ ପାଇଁ ଗତ ଦୁଇ ବର୍ଷ ଭିତରେ ଅନେକ ଲୋକ ରୋଜଗାର ହରାଇ ଘରେ ବସିଛନ୍ତି । ଭବିଷ୍ୟତ ଅନ୍ଧାର ଭିତରକୁ ଚାଲିଯାଇଛି । ତେଣୁ ବିଷାଦ ଭିତରକୁ ଟାଣି ହୋଇ ଯାଉଛନ୍ତି ଲୋକେ୧ । ଠିକ ସମୟରେ ଉପଯୁକ୍ତ କାଉନସେଲିଂ କରାଗଲେ, ପରିସ୍ଥିତିକୁ ଆୟତ୍ତ କରିହେବ ବୋଲି ବିଶେଷଜ୍ଞ କହିଛନ୍ତି ।