କନକ ବ୍ୟୁରୋ : ନେତା ମାଗୁଛନ୍ତି ଟଙ୍କା । ୧୦ମ ଶ୍ରେଣୀ ଝିଅ ଆତ୍ମହତ୍ୟା କଲା ପରେ ଘଟଣାକୁ ଚପାଇ ଦେବା ପାଇଁ ନେତା ଟଙ୍କା ମାଗିବାର ଏକ୍ସକ୍ଲ୍ୟୁସିଭ ଭିଡିଓ କନକ ନ୍ୟୁଜ ହାତରେ ଲାଗିଛି । ଘଟଣାଟି ମାହାଙ୍ଗା ଅଞ୍ଚଳର । ପ୍ରେମ ବ୍ୟାପାରକୁ ନେଇ ୧୦ମ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିବା ପରେ ତାଙ୍କ ମୃତଦେହକୁ ପୋଡି ପାଉଁଶକୁ ନଦୀରେ ଫୋପାଡି ଘଟଣାକୁ ଚାପି ଦେବାକୁ ପ୍ରୟାସ କରାଯାଇଥିବା ଅଭିଯୋଗ ହୋଇଛି ।
୧୦ ଶ୍ରେଣୀର ଝିଅ ଓ ସ୍କୁଲ ଶିକ୍ଷକଙ୍କ ଭିତରେ ଥିବା ପ୍ରେମ ବ୍ୟାପାର ପାଇଁ ଏଭଳି ହୋଇଛି ବୋଲି କୁହାଯାଉଛି । ଆତ୍ମହତ୍ୟା ପାଇଁ ସ୍କୁଲ ଶିକ୍ଷକ ଦାୟୀ ବୋଲି କହି ଘଟଣା ସମ୍ପର୍କରେ ଶିକ୍ଷକଙ୍କ ମାଆଙ୍କ ସହ ଫୋନରେ କଥା ହୋଇଛନ୍ତି ମାହାଙ୍ଗା ବ୍ଲକର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ । କେବଳ ସେତିକି ନୁହେଁ ଘଟଣାକୁ ଚପାଇ ଦେବା ପାଇଁ ଶିକ୍ଷକଙ୍କ ମାଆଙ୍କ ଠାରୁ ଟଙ୍କା ମାଗିଛନ୍ତି ନେତା । କନକ ନ୍ୟୁଜ୍ ହାତରେ ଲାଗିଛି ନେତାଙ୍କ ଟଙ୍କା ମାଗିବାର ସେହି ଅଡିଓ ରେକର୍ଡ ।
ତେବେ ଫୋନରେ କଥା ହେଉଥିବା ବ୍ୟକ୍ତି ଶରତ ନାୟକ କି ନୁହେଁ ତାହା ତଦନ୍ତ ପରେ ଜଣାପଡ଼ିବ । ଏସମ୍ପର୍କରେ ମାହାଙ୍ଗା ବ୍ଲକର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।