ମୋଦିଙ୍କୁ ଶେଷ ଇଚ୍ଛା ଜଣାଇ ଆତ୍ମହତ୍ୟା କଲେ ଯୁବକ । ସୁଇସାଇଡ୍ ନୋଟରେ ଲେଖିଲେ ଏମିତି କଥା ।

546

କନକ ବ୍ୟୁରୋ : ଭଲ ନୃତ୍ୟଶିଳ୍ପୀ ହେବାରେ ବିଫଳ ହେବା ପରେ ଜଣେ ୧୬ ବର୍ଷୀୟ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମଧ୍ୟପ୍ରଦେଶର ଝାନ୍ସୀରେ ଏଭଳି ଏକ ଘଟଣା ଘଟିଛି । ତାଙ୍କ ଆତ୍ମହତ୍ୟା ନୋଟରେ ନାବାଳକ ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ଶେଷ ଇଚ୍ଛା ପୂରଣ କରିବାକୁ ଅନୁରୋଧ କରିଛନ୍ତି । ଆତ୍ମହତ୍ୟା ନୋଟରେ ସେ ଲେଖିଛନ୍ତି ଯେ, ତାଙ୍କର ଶେଷ ଇଚ୍ଛା ହେଉଛି ଗାୟକ ଅରିଜିତ ସିଂ ଏକ ଗୀତ ଗାଇବେ ଏବଂ ସେହି ଗୀତରେ ନେପାଳୀ କଳାକାର ସୁଶାନ୍ତ ଖତ୍ରିଙ୍କ ଦ୍ୱାରା କୋରିଓଗ୍ରାଫ୍ ହୋଇଥିବା ଏକ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରାଯାଉ ।

ଝାନ୍ସୀ ରୋଡ୍ ପୁଲିସ୍ ଷ୍ଟେସନର ଇନ୍ସପେକ୍ଟର ସଞ୍ଜୀବ ନୟନ ଶର୍ମା କହିଛନ୍ତି ଯେ ରବିବାର ରାତିରେ କ୍ୟାନ୍ସର ହସ୍ପିଟାଲ ଅଞ୍ଚଳର ଜଣେ ନାବାଳକ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଆଉ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମିଳିଥିଲା । ଏହି ନୋଟରେ ନାବାଳକ ଜଣକ ଲେଖିଥିଲେ ଯେ, ‘ତାଙ୍କ ପରିବାର ଏବଂ ସାଙ୍ଗମାନେ ତାଙ୍କୁ ସମର୍ଥନ କରୁ ନଥିବାରୁ ସେ ଜଣେ ଭଲ ନୃତ୍ୟଶିଳ୍ପୀ ହୋଇପାରିଲେ ନାହିଁ ।

ତାଙ୍କ ମୃତ୍ୟୁ ପରେ ଏକ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରାଯିବା ଉଚିତ ଯେଉଁଥିରେ ଅରିଜିତ ସିଂ ଏକ ଗୀତ ଗାଇଥିବେ ଏବଂ ନେପାଳୀ କୋରିଓଗ୍ରାଫର ସୁଶାନ୍ତ ଖତ୍ରି ଏଥିରେ ନୃତ୍ୟ କରିଥିବେ’ । ଏହି ମ୍ୟୁଜିକ୍ ଭିଡିଓ ତାଙ୍କ ଆତ୍ମାକୁ ଶାନ୍ତି ଦେବ ବୋଲି ନୋଟରେ କୁହାଯାଇଛି । ସେ ତାଙ୍କର ଶେଷ ଇଚ୍ଛା ପୂରଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଅନୁରୋଧ କରିଛନ୍ତି ।