କରୋନା ଡରରେ ଚରମ ନିଷ୍ପତ୍ତିି ନେଉଛନ୍ତି ଲୋକେ । ଅନୁଗୁଳରେ ଆକ୍ରାନ୍ତ ଚିହ୍ନଟ ପରେ ପାଣିକୁ ଡେଇଁ ଆତ୍ମହତ୍ୟା । 

370

କନକ ବ୍ୟୁରୋ: କରୋନାର ଆସୁଛି କରୁଣ ଦୃଶ୍ୟ । ବଢୁଛି ଆତ୍ମହତ୍ୟାପ୍ରବଣତା ।  କରୋନା ପଜିିଟିଭିଙ୍କ ମୃତ୍ୟୁ ପରେ  ପରିବାର ହେଉଛି ଛାରଖାର । ଏଭଳି ୩ଟି ଚିତ୍ର ଆସିଛି ରାଜ୍ୟର ବିଭିନ୍ନ ସ୍ଥାନରୁ  । ବ୍ରହ୍ମପୁର ଓ ନୟାଗଡ ଇଟାମାଟିରେ  ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଆତ୍ମହତ୍ୟା କରିବା ଭଳି  ଖବର ଆସିଛି । ସେପଟେ କରୋନା ପଜଟିଭ ଚିହ୍ନଟ ହେବା ପରେ ଅନୁଗୁଳରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ଯୁବକ ।

କନ୍ଦାଉଛି କରୋନା । ବଢୁଛି ଆତ୍ମହତ୍ୟା ମନୋଭାବ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଏଭଳି ହୃଦୟବିଦାରକ ଖବର । ଅନୁଗୁଳ ଜିଲ୍ଲା ରାଇଝରଣ ପଂଚାୟତ ଡ୍ୟାମରୁ  କରୋନା ଆକ୍ରାନ୍ତ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କରୋନାରେ ଆକ୍ରାନ୍ତ ହେବା ପରେ ମାନସିକ ସ୍ଥିତି ହରାଇ  ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।  ମୃତ ସନ୍ତୋଷ ଗୋଛାୟତ  ସ୍ଥାନୀୟ ଜେଏସପିଏଲ ସ୍ୱାସ୍ଥ୍ୟକେନ୍ଦ୍ରରେ ଠିକା ଶ୍ରମିକ ଭାବେ କାମ କରୁଥିଲେ ।  କରୋନାରେ ଆକ୍ରାନ୍ତ ହେବା ପରେ  ମାନସିକ ସ୍ଥିତି ହରାଇ ଘରୁ କୁଆଡେ ଚାଲିଯାଇଥିଲେ  ।

କରୋନାର କାରୁଣ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ । ଛାରଖାର ହୋଇଯାଇଛି ପରିବାର ।   ସହରର ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିରର ବରିଷ୍ଠ ଆଚାର୍ଯ୍ୟ ହାଡିବନ୍ଧୁ ନାହାକ କରୋନାରେ ଶୁକ୍ରବାରଦିନ ପ୍ରାଣ ହରାଇଥିଲେ । ଗତବର୍ଷ ଏକଦୁର୍ଘଟଣାରେ ସାନପୁଅର ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ  ପତ୍ନୀ କବିତା ସଂପୂର୍ଣ୍ଣ ଭାଙ୍ଗିପଡିଥିଲେ । ସ୍ୱାମୀଙ୍କ ପରଲୋକର ଦୁଇଦିନ ପରେ  ସେ ଆତ୍ମହତ୍ୟା କରିଛନ୍ତି ।

କୋଭିଡରେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା । ଘଟଣା ଘଟିଛି ନୟାଗଡର ଇଟାମାଟି ଗାଁ ଟାଙ୍ଗିସାହିପାଟଣାରେ  । ଏହି ଗାଁର ଦିଲ୍ଲୀପ ପାତ୍ର  ବର୍ଷେ ତଳେ ସେହି ଗାଁରେ ପ୍ରେମ ବିବାହ କରିଥିଲେ ।  ଦିଲ୍ଲୀପ ଗତ ସପ୍ତାହରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲରେ ଭର୍ତି କରାଯାଇଥିଲା ।  ଏହାପରେ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିବା ନେଇ ଗ୍ରାମବାସୀ ସୂଚନା ଦେଇଛନ୍ତି ।