ବିଜୟ ପରେ ନାଚ, ପରାଜୟ ପରେ ଆତ୍ମହତ୍ୟା ! ସାମ୍ନାକୁ ଆସିଲା ବିଞ୍ଝାରପୁରର ଆତ୍ମହତ୍ୟା କରିଥିବା ଯୁବକଙ୍କ ନାଚିବାର ଦୃଶ୍ୟ

819

କନକ ବ୍ୟୁରୋ : ବିଶ୍ୱକପ କ୍ରିକେଟ ସେମିଫାଇନାଲରେ ଭାରତ ଜିତିବା ପରେ ନାଚୁଥିଲେ । ଆଉ ଫାଇନାଲରେ ଭାରତ ହାରିବା ପରେ ଆତ୍ମହତ୍ୟା କରିଦେଲେ । ବିଞ୍ଝାରପୁର ଥାନା ଅଞ୍ଚଳ ଜରି ଗାଁର ଦେବରଞ୍ଜନଙ୍କ ଆତ୍ମହତ୍ୟା ଘଟଣା ନୂଆ ମୋଡ ନେଇଛି । ସେମିଫାଇନାଲରେ ଭାରତ ବିଜୟ ପରେ କେମିତି ଦେବ ରଞ୍ଜନ ସାଙ୍ଗଙ୍କ ମେଳରେ ଖୁସି ମନେଇଥିଲେ ସେହି ଭିଡିଓ ସାମ୍ନାକୁ ଆସିଛି ।

ଗତ ୧୫ ତାରିଖରେ ଭାରତୀୟ ଟିମ ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ସାଙ୍ଗଙ୍କ ମେଳରେ ଖୁସି ମନାଇଥିଲେ ଦେବରଞ୍ଜନ । ଡିଜେ ବଜାଇ ସାଙ୍ଗସାଥୀଙ୍କ ସହ ନାଚି ହସଖୁସିରେ ଟିମ ଇଣ୍ଡିଆର ବିଜୟ ଉତ୍ସବ ପାଳନ କରିଥିଲେ । ତେଣୁ ଫାଇନାଲରେ ଭାରତର ପରାଜୟ ପରେ କ୍ରିକେଟ ପ୍ରେମୀ ଦେବରଞ୍ଜନ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ପୂର୍ବରୁ ମାନସିକ ରୋଗରେ ପୀଡିତ ଦେବରଞ୍ଜନ ଚିକିତ୍ସିତ ହେଉଥିଲେ । କିନ୍ତୁ ଭାରତର ପରାଜୟ ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପରିବାର ଓ ସଂପର୍କୀୟ ସନ୍ଦେହ କରୁଛନ୍ତି । ମୃତ ଦେବରଞ୍ଜନଙ୍କ ପରିବାର ପକ୍ଷରୁ ମୃତ୍ୟୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । କିନ୍ତୁ କ୍ରିକେଟ ଖେଳକୁ ନେଇ କିଛି ଅଭିଯୋଗ ହୋଇନଥିବା ପୁଲିସ ସୂଚନା ଦେଇଛି ।