ଏଣିକି ମଧୁମେହ ରୋଗୀ ବି ଖାଇପାରିବେ ଭାତ । ଓଡିଶାରେ ସୁଗର ଫ୍ରି ଧାନ ଚାଷ କରୁଛନ୍ତି ଜଗତସିଂହପୁରର ଶରତଚନ୍ଦ୍ର ।

254

କନକ ବ୍ୟୁରୋ: ଏଣିକି ମଧୁମେହ ରୋଗୀ ହୁଅନ୍ତୁ ଅବା ଅନ୍ୟ ରୋଗରେ ପୀଡିତ ବ୍ୟକ୍ତି ଯେଉଁମାନଙ୍କୁ ଭାତ ଖାଇବା ନେଇ ବାରଣ ରହିଛି ସେମାନେ ବି ଭାତ ଖାଇପାରିବେ । କାରଣ ଓଡିଶାରେ ଏବେ ଚାଷ ହେଉଛି ସୁଗର ଫ୍ରି ଧାନ । ଆନ୍ଧ୍ରପ୍ରଦେଶରୁ ବିହନ ଆଣି ଏହି ଚାଷ କରଛନ୍ତି ଜଗତସିଂହପୁରର ଶରତଚନ୍ଦ୍ର ମହାପାତ୍ର । ଏହି ଧାନ ଚାଷକୁ ଏକ କମ୍ପାନୀ କିଣିବା ନେଇ ତାଙ୍କ ସହ କଥା ହୋଇଥିବା ବେଳେ ସହଯୋଗ ମିଳିଲେ ଅନ୍ୟ ଚାଷୀ ମଧ୍ୟ ଏହି ଚାଷ ପ୍ରତି ମନ ବଳାଇବେ ବୋଲି କହନ୍ତି ଶରତଚନ୍ଦ୍ର ।

ଭାତ ପ୍ରତ୍ୟେକ ଓଡିଆଙ୍କ ପ୍ରିୟ ଖାଦ୍ୟ । ଆମିଷ ହେଉ ଅବା ନିରାମିଶ ତରକାରୀ, ସମସ୍ତେ ଭାତ ଖାଇବାକୁ ପସନ୍ଦ କରନ୍ତି । ଆଉ ଖରାଦିନେ ତ ପଖାଳ ଖାଇବାର ମଜା ହିଁ ଅଲଗା । କିନ୍ତୁ ଭାବିଲେ କୌଣସି ରୋଗୀ ବିଶେଷ କରି ମଧୁମେହ ବା ଡାଇବେଟିସ୍ ରୋଗୀଙ୍କୁ ଭାତ ଖାଇବାକୁ ମନା । କିନ୍ତୁ ଏବେ ଏମିତି ଧାନ ଚାଷ କରାଯାଉଛି ଯାହାକୁ ମଧୁମେହ ରୋଗୀ ମଧ୍ୟ ଖାଇପାରିବେ । ଆଜ୍ଞା ହଁ, ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ୭୯ବର୍ଷିୟ ଶରତଚନ୍ଦ୍ର ମହାପାତ୍ର ଏଭଳି ଚାଷ କରି ଏବେ ସଫଳତା ପାଇଛନ୍ତି । ୧୯୬୨ ମସିହାରେ ବାୟୁସେନାରେ ଯୋଗଦେଇ ୧୫ବର୍ଷ ଦେଶସେବାରେ ନିୟୋଜିତ ଥିଲେ ଶରତଚନ୍ଦ୍ର ମହାପାତ୍ର । ଅବସର ପରେ ନୂତନ ପ୍ରଣାଳୀ ଓ ଜ୍ଞାନକୌଶଳ ପ୍ରୟୋଗ କରି ଚାଷ କରିବାକୁ ମନ ବଳାଇଥିଲେ ସେ । ଇଂଟରନେଟରେ ସୁଗର ଫ୍ରି ଧାନ ଚାଷ କରିବା ସମ୍ପର୍କରେ ଜାଣିବା ପରେ ପଡୋଶୀ ଆନ୍ଧ୍ରପ୍ରଦେଶରୁ ବିହନ ଆଣି ଚାଷ କରୁଛନ୍ତି ସେ ।

ନିଜେ କିଛି ଭିନ୍ନ କରି ପ୍ରଶଂସା ଓ ସଫଳତା ସାଉଁଟିବା ସହ ୩୦ରୁ ଅଧିକ ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ବି ସୃଷ୍ଟି କରିଛନ୍ତି ଶରତଚନ୍ଦ୍ର ମହାପାତ୍ର । ସେ କରିଥିବା ଧାନ ଚାଷ ଏବେ ଅନ୍ୟଙ୍କୁ ସମାନ ପନ୍ଥା ଆପଣେଇବା ପାଇଁ ପ୍ରେରଣା ବି ଯୋଗାଉଛି । ଏହି ସୁଗର ଫ୍ରି ଧାନ ଚାଷ କରିବାକୁ ଏକର ପିଛା ୧୫ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଦୁଇଗୁଣା ଦରରେ ବିକ୍ରି ହେଉଥିବା ସେ କହିଛନ୍ତି । ତେବେ ଏହି ଚାଉଳକୁ କିଲୋପ୍ରତି ଶହେ ଟଙ୍କାରେ ଏକ ଘରୋଇ କମ୍ପାନୀ କିଣିବା ନେଇ ଚୁକ୍ତି ହୋଇତିବା କହିଛନ୍ତି ଶରତ । ତେବେ ଏହି ସୁଗର ଫ୍ରି ଧାନର ବିହନକୁ ସରକାରୀ ଲ୍ୟାବରେ ପରୀକ୍ଷା ମଧ୍ୟ କରାଯାଇଛି । ଏହି ଚାଉଳର ଚାହିଦା ଉଭୟ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବେଳେ ଗୋଟିଏ ଏକରରୁ ୨୦ରୁ ୨୫କୁଇଂଟାଲ ଧାନ ଅମଳ ହେବା ନେଇ ସେ କହିଛନ୍ତି ।