ଆଖୁ ଚାଷ କରି ଲାଭ ପାଉଛନ୍ତି ଚାଷୀ । ୪ ଜଣ ବନ୍ଧୁ ମିଶି ଆରମ୍ଭ କରିଛନ୍ତି ସୁନ୍ଦର ଉଦ୍ୟୋଗ ।

142

କନକ ବ୍ୟୁରୋ : କୋରାପୁଟ ଜିଲ୍ଲାକୁ ସ୍ୱତନ୍ତ୍ର ପରିଚୟ ଦେଇଛି ଅର୍ଥକାରୀ ଫସଲ ଆଖୁ ଚାଷ । ଅନ୍ୟାନ୍ୟ ଫସଲ ଅପେକ୍ଷା ଆଖୁ ଚାଷରେ ଅଧିକ ଲାଭ କରୁଛନ୍ତି ଚାଷୀ । ପୂର୍ବରୁ ଆଖୁ ବ୍ୟବସାୟ ପାଇଁ ଚାଷୀକୁ ଚିନ୍ତା କରିବାକୁ ପଡ଼ୁଥିଲା ହେଲେ ଏବେ ଏହାର ସମାଧାନର ବାଟ ଫିଟିଛି । ୪ ଜଣ ବନ୍ଧୁ ମିଶି ଏକ ଉଦ୍ୟୋଗ କରିଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ପ୍ରାୟ ୪୦ରୁ ୫୦ ଜଣଙ୍କୁ ରୋଜଗାର ଦେଇଛନ୍ତି ।

ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ । କାମ କରୁଥିବା ଶ୍ରମିକ କିଏ ଆଖୁ ଆଣୁଛି ତ କିଏ ଆଖୁରୁ ରସ ବାହାର କରୁଛି ତ କିଏ କରୁଛି ଗୁଡ଼ ତିଆରି । ଆଖୁ ଚାଷୀଙ୍କ ମୁହଁରେ ଫୁଟିଛି ହସ । ଚାଷୀଙ୍କୁ ଆଉ ଆଖୁ ବିକ୍ରି ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ କି ଆନ୍ଧ୍ର ହାତକୁ ଦେବାକୁ ପଡ଼ିବ ନାହିଁ । ଜୟପୁରରେ ଖୋଲିଛି ବିଘ୍ନେଶ ଫୁଡ଼ ନାମକ ଏକ ଉଦ୍ୟୋଗ । ଯେଉଁଠି ଚାଷୀ ତାର ଅମଳ ଆଖୁକୁ ଉଚିତ ମୂଲ୍ୟରେ ବିକ୍ରି କରିବା ସହ, ବ୍ୟବସାୟ ମଧ୍ୟ କରିପାରିବ ।

ଆତ୍ମନିର୍ଭରଶୀଳ ହେବେ ଆଖୁ ଚାଷୀ । ଆନ୍ଧ୍ର ଉପରେ କରିବେନି ନିର୍ଭର । ୪ ଜଣ ବନ୍ଧୁ ମିଶି ଏହି ଉଦ୍ୟୋଗଟି କରିଛନ୍ତି । ପ୍ରାୟ ଶହେରୁ ଅଧିକ ପୁରୁଷ ଓ ମହିଳା ଏଠାରେ କାମ କରି ଗୁଜୁରାଣ ମେଂଟାଉଛନ୍ତି । ଏହି ଉଦ୍ୟୋଗରେ ଚାଷୀଙ୍କ ଆଖୁ କିଣିବା ସହ ବିନା କେମିକାଲରେ ପ୍ରସ୍ତୁତ ହେଉଛି ଗୁଡ଼ । ଗୁଡ଼ ତିଆରି ଠାରୁ ପ୍ୟାକେଟିଂ ପର୍ଯ୍ୟନ୍ତ ସବୁ କିଛି ଚାଲିଛି ଗୋଟିଏ ସ୍ଥାନରେ । କେବଳ ଗୁଡ଼ ତିଆରି ହେଉନି ବିନା କେମିକାଲରେ ଗୁଣ୍ଡ ଗୁଡ଼ ମଧ୍ୟ ପ୍ରସ୍ତୁତି ହେଉଛି ଯାହାକି ଚିନି ବଦଳରେ ଏହାକୁ ବ୍ୟବହାର କରାଯାଇପାରିବ । ଏଠାରେ ତିଆରି ହେଉଥିବା ପ୍ରତ୍ୟେକ ଉତ୍ପାଦ ଏକ ସ୍ୱତନ୍ତ୍ର ବ୍ରାଣ୍ଡରେ କରାଯାଉଛି ।

ଆଖୁ ଚାଷ ପାଇଁ କୋରାପୁଟ ଜିଲ୍ଳାରେ ଉପଯୁକ୍ତ ଜଳବାୟୁ ରହିଥିଲେ ସୁଦ୍ଧା ବଜାରର ସୁବିଧା ନଥିବାରୁ ଏହି ଚାଷରୁ ମୁହଁ ଫେରାଉଥିଲେ ଚାଷୀ । ଜିଲ୍ଳାରେ ଯେତିକି ଚାଷ ହେଉଥିଲା ତାହା ସବୁ ଟେକି ଦେଉଥିଲେ ଆନ୍ଧ୍ର ହାତକୁ । ଏବେ ଏହି ଚାଷର ସମାଧାନ ମିଳିବା ପରେ ଅନେକ ଚାଷୀ ଏବେ ଆଖୁ ଚାଷକୁ ଆପଣାଇଛନ୍ତି । ଚାଷୀଙ୍କ ସମସ୍ୟାର ସମାଧାନ କରିବା ସହ ନିଜେ ମଧ୍ୟ ଏକ ରୋଜଗାରର ବାଟ ପାଇପାରିଛନ୍ତି । ଆଗକୁ ଚିନି ଉତ୍ପାଦନ ସାଙ୍ଗକୁ ବଜାରରେ ଆଖୁ ରସ ମଧ୍ୟ ଯୋଗାଇଦେବେ ବୋଲି ଉଦ୍ୟୋଗର ମାଲିକ କହିଛନ୍ତି ।