ଚିନି କଳ ଓ ମଣ୍ଡି ନଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଆଖୁ ଚାଷୀ: ପରିଶ୍ରମ ପରେ ବି ଆଖୁ ଚାଷୀଙ୍କୁ ମିଳୁନି ପାରିଶ୍ରମିକ

78

କନକ ବ୍ୟୁରୋ: କଥାରେ ଅଛି ଆଖୁ ଲଗାଅ, ସୁନା ଫଳାଅ । ହେଲେ ଏଠି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଆଖୁ ଚାଷୀ । ଅକ୍ଳାନ୍ତ ପରିଶ୍ରମ ପରେ ବି ଆଖୁ ଚାଷୀ ପାଉନାହାନ୍ତି ଉପଯୁକ୍ତ ପାରିଶ୍ରମିକ । ଅଭାବୀ ବିକ୍ରିର ଶିକାର ହୋଇ ଛତିଶଗଡ଼ ବେପାରୀଙ୍କୁ ଶାଗ ମାଛ ଦରରେ ଗୁଡ଼ ବିକ୍ରି କରୁଛନ୍ତି ଚାଷୀ ।

କଥାରେ ଅଛି ଆଖୁ ଲଗାଅ, ସୁନା ଫଳାଅ । ଆଖୁ ଏକ ଅର୍ଥକାରୀ ଫସଲ ହୋଇଥିବା ବେଳେ ଏହାକୁ ଚାଷ କରି ବେଶ ଲାଭବାନ ହେଉଥିଲେ କଳାହାଣ୍ଡି ଜିଲ୍ଲାର ଅଧିକାଂଶ ଚାଷୀ । ଆଖୁରୁ ପ୍ରସ୍ତୁତ ଗୁଡ଼, ଚିନି, ଆଖୁରସ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ । ଚିନି କଳ ବନ୍ଦ ସାଙ୍ଗକୁ ମଣ୍ଡି ବ୍ୟବସ୍ଥା ନଥିବାରୁ ଏବେ ଅଭାବି ବିକ୍ରିର ଶିକାର ହେଉଛନ୍ତି ଆଖୁ ଚାଷୀ । ଛତିଶଗଡ଼ ବେପାରିଙ୍କୁ ଶାଗ ମାଛ ଦରରେ ଗୁଡ଼ ବିକ୍ରି କରି ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି ।

ଧର୍ମଗଡ଼ ଉପଖଣ୍ଡର ଗୋଲମୁଣ୍ଡା ଓ ଜୁନାଗଡ଼ ବ୍ଲକର ପ୍ରାୟ ୨୦ ହଜାର ହେକ୍ଟରରୁ ଉଦ୍ଧ୍ୱର୍ ଜମିରେ ଆଖୁ ଚାଷ ହୋଇଛି । ଦୀର୍ଘଦିନ ଧରି ଚିନିକଳ ବନ୍ଦ ଯୋଗୁଁ ବଳଦ ସାହାଯ୍ୟରେ ଆଖୁ ପେଡ଼ି ରସ ବାହାର କରି ଗୁଡ଼ ତିଆରି କରୁଛନ୍ତି ଲୋକେ । ଗୁଡ଼ କେଜି ପ୍ରତି ୩୦ ରୁ ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଚାଷୀଙ୍କୁ ଅନେକ କ୍ଷତି ସହିବାକୁ ପଡ଼ୁଛି । ଏବେ ଅମଳର ସମୟ, କିନ୍ତୁ ଜୁନାଗଡ଼ ବ୍ଲକ ମଥୁରାଠାରେ ଥିବା ଚିନିକଳ ବନ୍ଦ ହୋଇଯାଇଛି । ତେଣୁ ଗୁଡ଼ ମଣ୍ଡି ଓ ଚିନି କଳ ଚାଲୁ କରିବାକୁ ଚାଷୀ ଦାବି କରିଛନ୍ତି ।

ଦିନ ଥିଲା କଳାହାଣ୍ଡିରେ ଚିନିକଳ ଥିଲା । ଲୋକେ ଚିନିକଳରେ ଆଖୁ ବିକ୍ରି କରି ମୋଟା ଅଙ୍କର ପାଉଣା ପାଇ ହସଖୁସିରେ ଚଳୁଥିଲେ । ହେଲେ ଏବେ ଚାଷୀ ନିଜ କଷ୍ଟ ଉପାର୍ଜିତ ଫସଲକୁ କମ ଦରରେ ଛତିଶଗଡ଼ ବେପାରୀଙ୍କୁ ବିକ୍ରି କରି ଅନେକ କ୍ଷତି ସହୁଥିବାବେଳେ ଛତିଶଗଡ଼ ବେପାରୀ ସେହି ଗୁଡ଼କୁ ବିକି ବେଶ ଲାଭବାନ ହେଉଛନ୍ତି ।