ଅଡୁଆରେ ଧର୍ମଗଡର ଆଖୁଚାଷୀ । ଫସଲ ହୋଇଛି, ହେଲେ ଆଖୁର ହେଉଛି ଅଭାବୀ ବିକ୍ରି । ଚିନି କଳ ବନ୍ଦ କାରଣରୁ ବିକ୍ରି ହୋଇପାରୁନି ଆଖୁ । ସମାଧାନର ବାଟ ପାଉନି ଚାଷୀ

99

କନକ ବ୍ୟୁରୋ : ସରକାରଙ୍କ ଏମଏସପି ଅଛି । ସରକାରଙ୍କ ମଣ୍ଡି ବି ଚାଲିଛି ହେଲେ ଆଖୁଚାଷୀ ବିକ୍ରି କରିପାରୁ ନାହିଁ ତା ଉତ୍ପାଦନ । ଏଭଳି ସ୍ଥିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡରେ । ଏଠାରେ ମଣ୍ଡିର ଅଭାବ ଯୋଗୁଁ ଚାଷୀ ମାନେ ଆଖୁ ବିକ୍ରି କରିବାରେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ କରୋନା ପାଇଁ ଅନେକ କଳ କାରଖାନା ବନ୍ଦ ପଡିଥିବାରୁ ଆଖୁ ରସରୁ ଗୁଡ ପ୍ରସ୍ତୁତକରି ଚାଷୀ ମାନେ ରଖିଥିଲେ ବି ତାହା ବିକ୍ରି ହୋଇପାରୁ ନାହିଁ । ଫଳରେ ଚାଷୀ ମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି  ।

ସାରା ଦେଶରେ କୃଷକ ମାନେ ଏବେ ଗୋଟିଏ ମାସରୁ ଉର୍ଦ୍ଧ ହେବ ଏମଏସପି ଓ ମଣ୍ଡିର ସ୍ଥାୟୀତ୍ୱ ଦାବି କରି ଦିଲ୍ଲୀର ସିଂଘୁ ବୋର୍ଡରେ ଧାରଣାରେ ବସିଛନ୍ତି । ସରକାର ସେମାନଙ୍କୁ ମଣ୍ଡି ଓ ଏମଏସପି ସୁରକ୍ଷିତ ଥିବା କଥା ବାରମ୍ବାର ବୁଝାଇବାକୁ ଚେଷ୍ଟା କରୁଛନ୍ତି । ଏହା ସହ ଚାଷୀଙ୍କୁ ବୁଝାଇବାକୁ ପୁରା ସରକାର ଏକାକାର ହୋଇଯାଇଛି । ଯେମିତି ଲାଗୁଛି ଦେଶରେ ମାତ୍ର ଗୋଟିଏ ମନ୍ତ୍ରଣାଳୟ ରହିଛି । ତାହା ହେଉଛି କୃଷି ମନ୍ତ୍ରଣାଳୟ । କାରଣ ଯେଉଁଠି ବି ସରକାରୀ ଦଳର କିଏ ମନ୍ତ୍ରୀ ବା ନେତା ଭାଷଣ ଦେଉଛନ୍ତି ସେମାନେ କେବଳ କୃଷକ ଓ କୃଷି ଆନ୍ଦୋଳନକୁ ନେଇ ଭାଷଣ ଦେଉଛନ୍ତି । ଗତକାଲି ଢେଙ୍କାନାଳରେ କେନ୍ଦ୍ର ତୈଳ ମନ୍ତ୍ରୀ ତଥା ଓଡିଶା ବିଜେପିର ଜଣେ ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଏକ କୃଷକ ସମାବେଶର ଆୟୋଜନ କରି ଚାଷୀ ମାନଙ୍କୁ ନୂତନ କୃଷି ଆଇନର ପଜିଟିଭ୍ ବାବଦରେ ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ । ହେଲେ ଏହି ରାଜ୍ୟରେ ଆଖୁଚାଷୀ ମାନେ ଏଭଳି ଅଭାବିବିକ୍ରିରେ ପଡୁଛନ୍ତି ତାହାକୁ ସେ ନଜର ଆନ୍ଦାଜ କରିଛନ୍ତି । ମନେ ରଖିବାକୁ ହେବ ସରକାରୀ ମଣ୍ଡି ଅଛି, ସରକାରୀ ଏମଏସପି ଅଛି ତେବେ ବି ଚାଷୀ ମାନେ ଏଭଳି ଅଭାବି ବିକ୍ରିରେ ସମ୍ମୁଖୀନ ହେଉଛନ୍ତି । ଚିନ୍ତା କରନ୍ତୁ ସରକାରୀ ମଣ୍ଡି ନଥିବ, ସରକାରଙ୍କ ଏମଏସପି ନଥିବ ସେତେବେଳେ ଏ କର୍ପୋରେଟ ହାଉସର ଲୁଟ୍ ଭିତରେ ଚାଷୀର ସ୍ଥିତି କ’ଣ ରହିବ ।