କଳାହାଣ୍ଡି ଜିଲ୍ଲାର ଅର୍ଥକାରୀ ଫସଲ ଆଖୁ ଚାଷ। ଗୋଲାମୁଣ୍ଡା ଓ ଜୁନାଗଡ଼ ବ୍ଲକରେ ୨୦ ହଜାର ହେକ୍ଟର ଜମିରେ ଆଖୁ ଚାଷ କରିଛନ୍ତି ଚାଷୀ।

88

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାର ଅର୍ଥକାରୀ ଫସଲ ଆଖୁ ଚାଷ । ଧର୍ମଗଡ଼ ଉପଖଣ୍ଡର କାକେଁରି, କନାଗାଁ, ଟିପିଗୁଡ଼ା, ବୋକରାକଟାରେ ପ୍ରଚୁର ପରିମାଣର ଆଖୁ ଚାଷ କରିଛନ୍ତି ଚାଷୀ । ସେହିପରି ଗୋଲାମୁଣ୍ଡା ବ୍ଲକର କୁମ୍ଭାରି, ଚିଚିଆ, ଟେମାରି ଓ ଜୁନାଗଡ଼ ବ୍ଲକର ତଲମଲା, ସାହାଜକନା ଅଦି ଅଞ୍ଚଳର ପ୍ରୟ ୨୦ ହଜାର ହେକ୍ଟରରେ ଆଖୁ ଚାଷ ହୋଇଛି । ଏବେ ଅମଳ ସମୟ ହୋଇଥିବା ବେଳେ ଜୁନାଗଡ଼ ବ୍ଲକ ମଥୁରା ଠାରେ ଥିବା ଚିନି କଳ ବନ୍ଦ ହେବା ଯୋଗୁଁ ଚାଷୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିପରି ଗୁଡ଼ ମଣ୍ଡି ବ୍ୟବସ୍ଥା ନଥିବାରୁ ଏହି ଅଞ୍ଚଳର ଚାଷୀ ନିଜ କଷ୍ଟ ଉପାର୍ଜିତ ଫସଲକୁ କମ୍ ଦରରେ ଛତିଶଗଡ଼ର ବେପାରୀଙ୍କୁ ବିକ୍ରି କରୁଛନ୍ତି । ଚାଷୀଙ୍କ ଠାରୁ କମ୍ ଦରରେ ନେଇ ଚଢ଼ା ଦରରେ ବିକ୍ରି କରି ଲାଭବାନ ହେଉଛନ୍ତି ଛତିଶଗଡ଼ର ବ୍ୟବସାୟୀ ।

ଦିନ ଥିଲା କଳାହାଣ୍ଡିରେ ଚିନି କଳ ଥିଲା । ଲୋକେ ଚିନିକଳରେ ଆଖୁ ବିକ୍ରି କରି ମୋଟା ଅଙ୍କର ଟଙ୍କା ପାଉଥିଲେ । ଆଉ ବେଶ ହସୁଖୁସିରେ ଚଳୁଥିଲା ଚାଷୀଙ୍କ ପରିବାର । ଏବେ ଦୀର୍ଘ ଦିନ ହେଲା ଚିନି କଳ ବନ୍ଦ ପଡ଼ିଛି । ବଳଦ ସାହାଯ୍ୟରେ ଆଖୁ ପେଡ଼ି ରସ ବାହାର କରି ଗୁଡ଼ ତିଆରି କରି ବଜାରରେ ବିକ୍ରି କରୁଛନ୍ତି ଚାଷୀ । କିଲୋ ପ୍ରତି ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଥିବାରୁ ଚାଷୀଙ୍କୁ ଉଚିତ୍ ମୂଲ୍ୟ ମିଳୁନି । ଆବଶ୍ୟକ ସୁବିଧା ସୁଯୋଗ ନଥିବାରୁ ଛତିଶଗଡ଼ ବେପାରୀ ହିଁ ଚାଷୀଙ୍କ ଏକ ମାତ୍ର ଭରସା ପାଲଟିଛନ୍ତି । କଥାରେ ଅଛି ଆଖୁ ଲଗାଅ ସୁନା ଫଳ ଫଳାଅ । ହେଲେ ଆଖୁ ଚାଷ କରି ସୁନା ଫଳାଇବାକୁ ଚେଷ୍ଟା କରୁଥିବା ଚାଷୀଙ୍କ ପାଇଁ ଅଭାବୀ ବିକ୍ରି ସାଜିଛି ବାଧକ ।