ଆଧୁନିକ ପ୍ରଣାଳୀରେ ଆଖୁଚାଷ କରି ଚର୍ଚ୍ଚାରେ କୋଟପାଡର ସନ୍ତୋଷ । ଗୁଡ ପ୍ରସ୍ତୁତ କରି କରୁଛନ୍ତି ବିକ୍ରି

104

କନକ ବ୍ୟୁରୋ : ଆଖୁ ଚାରା ପ୍ରସ୍ତୁତ ଠାରୁ ରୋପଣ ପର୍ଯ୍ୟନ୍ତ । ଅମଳ ଠାରୁ ଗୁଡ଼ ପ୍ରସ୍ତୁତି କରିବା ପର୍ଯ୍ୟନ୍ତ ସବୁ କିଛି ଚାଲିଛି ଗୋଟିଏ ସ୍ଥାନରେ । ଏପରିକି ଚାଷୀଙ୍କ ଠାରୁ ଆଖୁ କିଣି ଏହି ସ୍ଥାନରେ ଗୁଡ଼ ପ୍ରସ୍ତୁତି କରାଯାଉଛି । ଆନ୍ଧ୍ର ଅପେକ୍ଷା ଏଠାରେ ଆଖୁ ବିକ୍ରି କରି ଚାଷୀ ଅଧିକ ଲାଭବାନ ହେଉଛନ୍ତି । ଏଭଳି କିଛି କାମ କରି ଆଖୁ ଚାଷୀଙ୍କ ମୁହଁ ହସ ଫୁଟାଇଛନ୍ତି କୋରାପୁଟ କୋଟପାଡ଼ ଅଂଚଳର ସନ୍ତୋଷ ମିଶ୍ର । ଜଣେ ସଫଳ ଉଦ୍ୟୋଗୀ ଭାବେ ମଧ୍ୟ ସେ ବେଶ ନାଁ କରିଛନ୍ତି । ବର୍ଷକୁ ୭୦ରୁ ୮୦ ଲକ୍ଷ ଟଙ୍କା ବ୍ୟବସାୟ ହେଉଥିବା ବେଳେ ୧୫୦ରୁ ୨୦୦ ଲୋକଙ୍କୁ ରୋଜଗାର ଯୋଗାଇଛନ୍ତି । ଚାକିରି ଛାଡ଼ି ଆଖୁ ଚାଷ ଆପଣାଇଥିଲେ ସନ୍ତୋଷ । ଦୀର୍ଘ ୨୮ ବର୍ଷ ହେଲା ସେ ଏହି କାମ କରୁଛନ୍ତି । ଏଥିପାଇଁ ତାଙ୍କୁ ଜିଲ୍ଲା ଓ ରାଜ୍ୟ ଭିତରେ ଅନେକ ପୁରସ୍କାର ମିଳିଛି । ବର୍ତମାନ ସେ ରାଜ୍ୟର ୧୭ଟି ଜିଲ୍ଲାର ଚାଷୀଙ୍କୁ ନିଜର ଆଧୁନିକ ପ୍ରଣାଳିରେ ହେଉଥିବା ବିହନ ଯୋଗାଇବା ସହ ତାଲିମ ମଧ୍ୟ ଦେଉଛନ୍ତି ।

ସନ୍ତୋଷଙ୍କର ଏହି ଉଦ୍ୟୋଗ ପାଇଁ ଚାଷୀଙ୍କୁ ଆଉ ଆଖୁ ବିକ୍ରୀ ପାଇଁ ଅପେକ୍ଷା କରିବାକୁ ପଡ଼ୁନାହିଁ କି ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡ଼ୁନାହିଁ । ଏବେ ଏହି ସବୁ ସୁବିଧା ଗୋଟିଏ ସ୍ଥାନରେ ମିଳୁଛି । ଚାଷୀ ମାନେ ସନ୍ତୋଷଙ୍କ ଠାରୁ ଚାରା କିଣି ନିଜ ଅଂଚଳରେ ଚାଷ କରୁଛନ୍ତି । ବିକ୍ରି ବି ସହଜରେ କରିପାରୁଛନ୍ତି ।

ଦେଖନ୍ତୁ ଏହି ଦୃଶ୍ୟକୁ.. କିଏ ସଂଗୃହିତ ଆଖୁକୁ ଆଧୁନିକ ମେସିନରେ ପେଡ଼ୁଛି ତ ଆଉ କିଏ ଗୁଡ଼ ପ୍ରସ୍ତୁତ କରୁଛି । ପୁଣି କିଏ ଡ଼ବାରେ ଭର୍ତି କରୁଛି । ଏହି ସବୁ କାମ କରୁଥିବା ଲୋକମାନେ ହେଉଛନ୍ତି ଉତରପ୍ରଦେଶର । ସାଧାରଣତଃ ଆମ ରାଜ୍ୟ ଲୋକମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ବେଳେ ଉତରପ୍ରଦେଶରୁ ମଧ୍ୟ ଲୋକମାନେ ଆସି ଆମ ରାଜ୍ୟରେ କାମ କରୁଛନ୍ତି । ପରିବାର ସହ ଆସି ଏଠାରେ ୪ରୁ ୫ ମାସ କାମ କରିବା ପରେ ପୁଣି ବର୍ଷା ଦିନ ଆସିଲେ ନିଜ ଭିଟାମାଟିକୁ ଫେରିଯାଆନ୍ତି ।

ଆଖୁ..ଏକ ଅର୍ଥକାରୀ ଫସଲ ହୋଇଥିବା ବେଳେ ଏହି ଚାଷ କରି ଅନେକ ଚାଷୀ ଲାଭବାନ ହେଉଛନ୍ତି । ତେବେ କୋରାପୁଟ ଜିଲ୍ଲାର ଜଳବାୟୁ ଏହି ଚାଷ ପାଇଁ ବେଶ ଉପଯୋଗୀ ହୋଇଥିବା ବେଳେ ସନ୍ତୋଷଙ୍କ ଉଦ୍ୟୋଗ ଅନେକ ଚାଷୀଙ୍କ ମୁହଁରେ ହସ ଫୁଟାଇଛି ।