ରାଜ୍ୟର ବଡବଡ ମିଠା ଦୋକାନରେ ଜାଲିଆତି : ବିଶ୍ୱାସରେ ବିଷ ଦେଉଛନ୍ତି ଅସାଧୁ ମିଠା ଦୋକାନୀ ; ସୁଗାର ଫ୍ରି ମିଠାରେ ମିଳିଲା ଚିନିର ସ୍ୱାଦ

212

କନକ ବ୍ୟୁରୋ : ଆପଣଙ୍କ ବିଶ୍ୱାସ ସହ ଚାଲିଛି ସାଂଘାତିକ ଖେଳ । ବଜାରରେ ବେପାର ମେଲାଇ ବସିଛନ୍ତି ଠକ ବ୍ୟବସାୟୀ । ମିଠା ପ୍ରତିଶ୍ରୁତି ଦେଇ କରୁଛନ୍ତି ପ୍ରତାରଣା । ବଡ ବଡ ବିଜ୍ଞାପନ ଦେଇ କରାଯାଉଛି ବିଭ୍ରାନ୍ତ । ଆପଣଙ୍କ ଖୁସିର ମୁହୂର୍ତ୍ତରେ ବିଷ ବୋଳି ଜୀବନକୁ ଯନ୍ତ୍ରଣାକୁ ଠେଲି ଦେଉଛନ୍ତି ଲାଭଖୋର ଅସାଧୁ ବ୍ୟବସାୟୀ । ଅଧିକ ଲାଭର ଲୋଭରେ ଖାଦ୍ୟକୁ କରୁଛନ୍ତି ଭେଜାଲ । କିଛି ସମୟ ଭିତରେ ଏହି ଭଳି ଏକ ଅସାଧୁ ବ୍ୟବସାୟର ଅସଲ ମୁଖା ଖୋଲିଦେବ ।

ରାଜଧାନୀ ଭୁବନେଶ୍ୱରରେ ବଡ ବଡ ମିଠା ଦୋକାନରେ ଚାଲିଛି ଜାଲିଆତି । କାନ୍ଥରେ ପୋଷ୍ଟର ମାରି ବିଶ୍ୱାସରେ ବିଷ ବୋଳୁଛନ୍ତି ମିଠା ଦୋକାନୀ । ଏହା କୌଣସି ଅନୁମାନ ନୁହେଁ । ଏଭଳି ଠକାମିର ପ୍ରମାଣ କିଛି ସମୟ ମଧ୍ୟରେ ଆପଣଙ୍କ ଟିଭି ସ୍କ୍ରିନକୁ ଆସିବ । ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନାଗାରର ଏହି ରିପୋର୍ଟ । ବିନା ସୁଗାରରେ ମିଠା ତିଆରି କରୁଥିବା ନେଇ ଦାବି କରୁଥିବା କିଛି ମିଠା ବ୍ୟବସାୟଙ୍କ ଉପରେ ସନ୍ଦେହ ହେବାରୁ ଆମେ ସୁଗାର ଫ୍ରି ମିଠାକୁ ଲାବୋରଟେରୀରେ ପରୀକ୍ଷା ପାଇଁ ଦେଇଥିଲୁ । ଏ ହେଉଛି ସେହି ରିପୋର୍ଟ । ଭୁବନେଶ୍ୱର ରାମ ମନ୍ଦିର ପାଖ କନଭେଂଟ ଛକରେ ଥିବା ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନାଗାରରେ ଆମ ପ୍ରତିନିଧି ସୁଗାର ଫ୍ରି ଛେନା ପୋଡକୁ ପରୀକ୍ଷା ପାଇଁ ଦେଇଥିଲେ । ଗତ ସେପ୍ଟେମ୍ବର ୨୮ ତାରିଖରେ ଏହି ନମୁନା ପରୀକ୍ଷା ପାଇଁ ଦିଆଯାଇଥିଲା । ଯାହାର ରିପୋର୍ଟ ଆସି ସାରିଛି । କନକ ନ୍ୟୁଜ୍ ହାତକୁ ଆସିଥିବା ଏହି ରିପୋର୍ଟରେ ଯେଉଁ ସାଂଘାତିକ କଥା ଉଲ୍ଲେଖ ଅଛି ତାହା ଆପଣଙ୍କୁ ଚମକାଇ ଦେବ ।

ଆମେ ଦେଇଥିବା ନମୁନାରେ ସୁଗାର ବା ଚିନି ଅଛି କି ନାହିଁ ଜାଣିବା ପାଇଁ ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନାଗାରକୁ ଦେଇଥିଲୁ । ଏଫ.ଏସ.ଏସ.ଏ.ଆଇ ଅର୍ଥାତ ଫୁଡ ସିକ୍ୟୁରିଟି ଷ୍ଟାଣ୍ଡାର୍ଡ ଅଥରଟି ଅଫ୍ ଇଣ୍ଡିଆର ମାନକ ଅନୁଯାୟୀ ଏହି ନମୁନାର ପରୀକ୍ଷଣ କରାଯାଇଛି । ଆଉ ରିପୋର୍ଟରେ ଲେଖାଯାଇଛି ଦିଆଯାଇଥିବା ନମୁନାରେ ସୁଗାର ବା ଚିନିରେ ସ୍ୱାଦ ମିଳିଛି । ରିପୋର୍ଟରେ ସ୍ପଷ୍ଟ ଭାବେ ଟେଷ୍ଟ ଅଫ୍ ସୁଗାର ପାଖରେ ପଜିଟିଭ୍ ବୋଲି ଲେଖାଯାଇଛି । ଅର୍ଥାତ୍ ସୁଗାର ଫ୍ରି ମିଠା ନାଁରେ ବିକ୍ରି ହେଉଥିବା ଛେନା ପୋଡର ଯେଉଁ ନମୁନା ଆମେ ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନାଗାରରେ ଦେଇଥିଲୁ ସେଥିରେ ସୁଗାର ବା ଚିନି ରହିଛି । ଥରେ ଭାବନ୍ତୁ ଡାଇବେଟିସ ରୋଗୀ ସୁଗାର ଫ୍ରି ମିଠା ଭାବି ଏହାକୁ ଅତି ଆଗ୍ରହରେ କିଣି ନେଉଥିବେ । ହେଲେ ଏଥିରେ ଥିବା ଚିନି ସେମାନଙ୍କ ଶରୀର ପ୍ରତି କେତେ ବିପଦ ଆଣି ଦେଉଛି ।