ଦିନ ସରୁଛି ଧାଡ଼ି ବଢୁଛି…ଡିସେମ୍ବର ପହିଲାରୁ ପୁଣି କଡ଼ାକଡ଼ି ହେବ ନୂଆ ଟ୍ରାଫିକ୍ ନିୟମ…ଗାଡ଼ି କାଗଜପତ୍ର ପାଇଁ ଆରଟିଓ କାର୍ଯ୍ୟାଳୟମାନଙ୍କରେ ଅସମ୍ଭାଳ ଭିଡ଼

ଆରଟିଓ ଅଫିସରେ କାମ ଦେଉନି ଫାଇଭି-ଟି

538

କନକ ବ୍ୟୁରୋ: ଆରଟିଓ ଅଫିସରେ କାମ ଦେଉନି ଫାଇଭି-ଟି । ଲୋକଙ୍କୁ ସବୁ ଫି ଅନଲାଇନରେ ଦେବା ସମ୍ଭବ ହେଉନି । ଅନଲାଇନରେ ଅନେକ ଦେୟ ଦେବା ପରେ ବି ସ୍ମାର୍ଟ କାର୍ଡ, ଜିଏସଟି ଭଳି ଟ୍ୟାକ୍ସ ଦେବା ପାଇଁ ପୁଣି ଆରଟିଓ ଅଫିସ୍ ଯାଇ କାଉଂଟରରେ ଛିଡ଼ା ହେବାକୁ ପଡ଼ୁଛି । ଅନ୍ୟପଟରେ ପରିବହନ ବିଭାଗର ଟୋଲ ଫ୍ରି ନମ୍ବର ମଧ୍ୟ ଅନେକ ସମୟରେ ଅଚଳ ରହୁଛି । ଆରଟିଓ ଅଫିସରେ ଏବେ ଲୋକଙ୍କର ନାହିଁନଥିବା ଭିଡ଼ ଲାଗିଥିବା ବେଳେ ହନ୍ତସନ୍ତ ହେବାକୁ ପଡୁଛି ।

 

ଆରଟିଓ ଅଫିସରେ ଏବେ ଦେଖିବାକୁ ମିଳିଛି ଖଚାଖଚ ଭିଡ଼ । କିଏ ଅଣନିଶ୍ୱାସୀ ହୋଇପଡ଼ିଲାଣି ତ କିଏ ବାରମ୍ବାର ଆରଟିଓ ଅଫିସ୍ ଆସି ବିରକ୍ତ ଓ ହତାଶ ହୋଇପଡ଼ିଲାଣି । ଅନଲାଇନରେ କାଫେରେ ଏଲଏଲ୍ ବା ଲର୍ନିଂ ଲାଇସେନସ କିମ୍ବା ଡିଏଲ୍ ବା ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କଲେ ବି ରକ୍ଷା ନାହିଁ । କାରଣ ସବୁ ଫି ଅନଲାଇନରେ ଗ୍ରହଣ କରୁନି ଓଡ଼ିଶା ପରିବହନ ବିଭାଗ । ଡ୍ରାଇଭିଂ ଲାଇସେନ୍ସ କିମ୍ବା ଆରସି ରିନ୍ୟୁଆଲ୍ ପାଇଁ ଅନେକ ଦେୟ କାଫେରେ ଅନଲାଇନରେ ଦେବା ପରେ ବି ସ୍ମାର୍ଟ କାର୍ଡ, ଜିଏସଟି ଭଳି ଟ୍ୟାକ୍ସ ଦେବା ପାଇଁ ପୁଣି କାଉଂଟରରେ ଆସି ଛିଡ଼ା ହେବାକୁ ପଡ଼ୁଛି । ପ୍ରାୟ ୫ ବର୍ଷ ଆଗରୁ ଓଡ଼ିଶାରେ ଅନଲାଇନ୍ ଫି ବ୍ୟବସ୍ଥା ଆସିଥିଲେ ବି ତାହାକୁ ଏକପ୍ରକାର ଅଚଳ କରି ରଖାଯାଇଥିବା ଦେଖାଯାଇଛି ।

ଲର୍ନିଂ ଲାଇସେନ୍ସ ବା ଏଲଏଲ୍ ପାଇଁ କୌଣସି କାଫେରେ ଆପଣ ଅନଲାଇନରେ ୨୦୦ ଟଙ୍କା ଜମା କଲା ପରେ ବି ସ୍ମାର୍ଟ କାର୍ଡ ପାଇଁ ପୁଣି ୨୨ ଟଙ୍କା ଦେବାକୁ ଆରଟିଓ ଅଫିସ୍ ଯିବାକୁ କୁହାଯାଉଛି ଓ ଲୋକଙ୍କୁ ଘଂଟା ଘଂଟା ଲାଇନରେ ଅପେକ୍ଷା କରିବାକୁ କୁହାଯାଉଛି । ସେହିଭଳି ଡ୍ରାଇଭିଂ ଲାଇସେନ୍ସ ବା ଡିଏଲ୍ ପାଇଁ କୌଣସି କାଫେରେ ଅନଲାଇନରେ ୬୭୯ ଟଙ୍କା ଦେବା ପରେ ବି ପୁଣି ଆରଟିଓ ଅଫିସ୍ ଯିବାକୁ କୁହାଯାଉଛି ଓ ତା’ ଉପରେ ୧୨ ପ୍ରତିଶତ ଜିଏସ୍ଟି ଅର୍ଥାତ୍ ୬୫ଟଙ୍କା ଜିଏସ୍ଟି ଟିକସ ଦେବା ପାଇଁ ଆରଟିଓ ଅଫିସ୍ କାଉଂଟରରେ ଯାଇ ଠିଆ ହେବାକୁ କୁହାଯାଉଛି ।