ଦୁଇ ସପ୍ତାହ ପରେ ସ୍ୱାଭାବିକ ବିଶ୍ୱର ସବୁଠୁ ବ୍ୟସ୍ତ ଜଳପଥ । ସୁଏଜ କେନାଲରେ ଶନିବାର ଅତିକ୍ରମ କଲା ଜାମରେ ଫସିଥିବା ଶେଷ ୬୧ଟି ଜାହାଜ ।

164

କନକ ବ୍ୟୁରୋ: ଇଜିପ୍ଟର ସୁଏଜ କେନାଲରେ ଲାଗିରହିଥିବା ଅଚଳାବସ୍ଥା ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହେଉଛି । ଗତ ୨୩ ତାରିଖରେ ସୁଏଜ କେନାଲରେ ବିଶାଳକାୟ ଏଭର ଗିଭେନ ଜାହାଜ ଫସିଥିଲା ଯାହା ୭ଦିନ ପରେ ଅର୍ଥାତ ୩୦ ତାରିଖରେ ଏହା ହଟିଥିଲା । ଏହି ସମୟ ମଧ୍ୟରେ କେନାଲର ଦୁଇ ମୁଣ୍ଡରେ ୪୨୨ଟି ଜାହାଜ ଅଟକ ରହିଥିଲା । କେନାଲରେ ଫସିରହିଥିବା ୬୧ଟି ଜାହାଜକୁ ବାଦ୍ ଦେଇ ଅନ୍ୟ ସମସ୍ତ ଜାହାଜ ସୁଏଜ କେନାଲ ଅତିକ୍ରମ କରିସାରିଛି । ବାକିଥିବା ୬୧ଟି ଜାହାଜ ସମେତ ମୋଟ୍ ୮୫ଟି ଜାହାଜ ଶନିବାର ଦିନ ଅତିକ୍ରମ କରିଛି ।

ଦୀର୍ଘ ସପ୍ତାହେ ଧରି ବିଶ୍ୱର ସବୁଠୁ ବ୍ୟସ୍ତ ଜଳପଥ ସୁଏଜ କେନାଲରେ ପଣ୍ୟବାହୀ ଜାହାଜ ଏଭର ଗିଭେନ ଫସିରହିଥିଲା । ଏହି ସମୟରେ ଜଳପଥରେ ପ୍ରାୟ ଶହେ କିଲୋମିଟର ପର୍ଯ୍ୟନ୍ତ ହୋଇଥିଲା ଟ୍ରାଫିକ ଜାମ । ଏହାରି ଭିତରେ ଆମେରିକା ସ୍ପେଶ ଏଜେନ୍ସି ନାସା ପକ୍ଷରୁ ଏହି ଟ୍ରାଫିକ ଜାମର ସାଟେଲାଇଟ ଫଟୋ ଜାରି କରାଯାଇଛି । ଏହି ଫଟୋରୁ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ଏଭର ଗିଭେନ ଜାହାଜ ପାଇଁ ପ୍ରାୟ ଶହେ କିଲୋମିଟର ଧରି ଜାହାଜ ଗୁଡିକ ଜାମରେ ଅଟକି ରହିଛି ।

ଏଭର ଗିଭେନ ଜାହାଜଟି ସୁଏଜ କେନାଲରେ ଅବରୋଧ କରିଥିବା ଯୋଗୁଁ କୋଟି କୋଟି ଟଙ୍କାର କ୍ଷତି ହେଉଥିଲା । ଏପରିକି ପ୍ରତିଦିନ ୯.୬ ଅରବ ଡଲାରର କ୍ଷତି ହେଉଥିଲା । ପ୍ରତି ବର୍ଷ ଏହି ଜଳପଥ ଦେଇ ୧୯ ହଜାର ଜାହାଜ ଅତିକ୍ରମ କରିଥାଏ । ଏଠାରେ ଟ୍ରାଫିକ ଜାମ ଯୋଗୁଁ ଗଲ୍ଫ ଦେଶଗୁଡିକରୁ ତେଲ ରପ୍ତାନୀ ମଧ୍ୟ ହୋଇପାରୁନଥିଲା ।

ଗତ ୨୩ତାରିଖରେ ସୁଏଜ କେନାଲରେ ଏହି ଜାହାଜଟି ଫସିଯାଇଥିଲା । ୭ ଦିନ ପରେ ୩୦ତାରିଖ ଦିନ ପଣ୍ୟବାହୀ ଜାହାଜ ଏଭର ଗିଭେନର ଅବରୋଧ ହଟାଯାଇଥିଲା । ସୁଏଜ କେନାଲ ଅବରୋଧ ଯୋଗୁଁ କୋଟି କୋଟି ଟଙ୍କା କ୍ଷତି ସହିଥିଲେ ସୁଏଜ କେନାଲ କର୍ତୃପକ୍ଷ । ୭ ଦିନ କାଳ ଅବରୋଧ ଯୋଗୁଁ ଜାହାଜର କ୍ରୁ ମେମ୍ବର ଉପରେ ଅପରାଧିକ ମାମଲା ରୁଜୁ ହେବାର ଆଶଙ୍କା ରହିଥିବା ବେଳେ ବର୍ତମାନ ପାଇଁ ଏହାକୁ ଟାଳି ଦିଆଯାଇଛି । ପୁର୍ବରୁ କେନାଲ ପ୍ରାଧିକରଣ ମୁଖ୍ୟ କହିଥିଲେ, ବିଶାଳକାୟ ଜାହାଜ ଅବରୋଧ ପାଇଁ କେବଳ ଘୂର୍ଣ୍ଣିଝଡ ପବନକୁ ଦାୟୀ କରାଯାଇ ପାରିବ ନାହିଁ । ଏହା ମନୁଷ୍ୟକୃତ ତ୍ରୁଟି ନା କେନାଲର ପରିଚାଳନାରେ ଅବହେଳା ତାହାର ଯାଂଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।