ସୁଏଜ କେନାଲ ଅଚଳାବସ୍ଥାରେ ଆସୁଛି ସୁଧାର : ଏଭର ଗିଭେନ ଜାହାଜ କେନାଲ ପାର ହେବା ପରେ ଯିବେ ଅଟକିଥିବା ଅନ୍ୟ ଜାହାଜ

ଜଳ ପଥର ଟ୍ରାଫିକ ତୁଟିବାକୁ ଲାଗିପାରେ ୪ଦିନ; ସେପେଟ ଏଭର ଗିଭେନ ଜାହାଜର ଭାରତୀୟ କ୍ରୁ -ମେମ୍ବରଙ୍କ ଉପରେ ଝୁଲୁଛି କାର୍ଯ୍ୟାନୁଷ୍ଠାନ ଖଣ୍ଡା 

72

କନକ ବ୍ୟୁରୋ : ଇଜିପ୍ଟର ସୁଏଜ କେନାଲରେ ଅଚଳବାସ୍ଥାରେ ସୁଧାର ଆସିଛି । ଗତକାଲି କେନାଲରେ ଫସିଥିବା ତାଇୱାନ ଜାହାଜ ଗନ୍ତବ୍ୟସ୍ଥଳରେ ଯିବା ଆରମ୍ଭ କରିଛି । ହେଲେ ଗତ ୬ ଦିନ ହେଲା ସୁଏଜ କେନାଲରେ ବିଶାଳକାୟ ଏଭର ଗିଭେନ ଜାହାଜ ଫସିଥିବାରୁ କେନାଲର ଦୁଇ ମୁଣ୍ଡରେ ସାଢେ ତିନିଶହରୁ ଅଧିକ ଜାହାଜ ଅଟକି ରହିଛି । ତେଣୁ ସୁଏଜ କେନାଲରେ ସ୍ୱଭାବିକତା ଫେରାଇ ଆଣିବାକୁ ୩ରୁ ୪ ଦିନ ଲାଗିବ ବୋଲି କହିଛନ୍ତି କେନାଲ କର୍ତୃପକ୍ଷ । ସୁଏଜ କେନାଲରୁ ପଣ୍ୟବାହୀ ଜାହାଜ ଏଭର ଗିଭେନ ବାହାରିଯାଇଛି, ଜାହାଜରେ ଥିବା ୨୫ ଜଣ ଭାରତୀୟ କ୍ରୁ ମେମ୍ବର ସୁର କ୍ଷିତ ଅଛନ୍ତି ।

ତେବେ ଜାହାଜର କ୍ରୁ ମେମ୍ବରଙ୍କ ଉପରେ ବିପଦର ଖଣ୍ଡା ଝୁଲୁଛି । କାରଣ ୬ ଦିନ କାଳ ଅବରୋଧ ଯୋଗୁଁ ଜାହାଜର କ୍ରୁ ମେମ୍ବର ଉପରେ ଅପରାଧିକ ମାମଲା ରୁଜୁ ହେବା ସମ୍ଭାବନା ରହିଛି । କାରଣ ପୁର୍ବରୁ କେନାଲ ପ୍ରାଧିକରଣ ମୁଖ୍ୟ କହିଥିଲେ, ବିଶାଳକାୟ ଜାହାଜ ଅବରୋଧ ପାଇଁ କେବଳ ଘୂର୍ଣ୍ଣିଝଡ ପବନକୁ ଦାୟୀ କରାଯାଇ ପାରିବ ନାହିଁ । ଏହା ମନୁଷ୍ୟକୃତ ତ୍ରୁଟି ନା କେନାଲର ପରିଚାଳନାରେ ଅବହେଳା ତାହାର ଯାଂଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ୬ ଦିନ ସୁଏଜ କେନାଲ ଅବରୋଧ ଯୋଗୁଁ କୋଟି କୋଟି ଟଙ୍କା କ୍ଷତି ସହିଛନ୍ତି ସୁଏଜ କେନାଲ କର୍ତୃପକ୍ଷ । ତେଣୁ ଭାରତୀୟ ନାଗରିକ ତଥା କ୍ରୁ ମେମ୍ବରଙ୍କ ଉପରେ ଅପରାଧିକ ମାମଲା ରୁଜୁ କରିବା ସମ୍ଭାବନା ରହିଛି ।