ଆଇଓସିଏଲର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ସୁଦିପ୍ତ ରାୟ

92

କନକ ବ୍ୟୁରୋ : ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍- ଆଇଓସିଏଲର ପ୍ରଥମ ଓଡ଼ିଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ସୁଦୀପ୍ତ ରାୟ । ପୂର୍ବ ଭାରତର ବିକାଶ ପାଇଁ ଓଡ଼ିଶାକୁ ପ୍ରାଧାନ୍ୟ ଅବସରରେ ଶ୍ରୀ ସୁଦୀପ୍ତ ରାୟଙ୍କୁ ଇଣ୍ଡିଆନ ଅଏଲ କମ୍ପାନୀର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ଶ୍ରୀ ରାୟ ଓଡ଼ିଶା ସରକାରଙ୍କ ଯୋଗାଣ ବିଭାଗ ଅଧିନରେ ଦୁଇ ଦୁଇ ଥର ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇଛନ୍ତି । ତାଙ୍କ ଅଧ୍ୟକ୍ଷତା ସମୟରେ ଚାଷୀ ମାନଙ୍କଠାରୁ ଧାନ କିଣା ହେବା ଓ ରାଜ୍ୟରେ ଦୁଇ ଟଙ୍କିଆ ଚାଉଳ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

ସେ ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପିର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିବା ସହ ବର୍ତମାନ ରାଜ୍ୟ ବିଜେପିର ମୁଖପାତ୍ର ଅଛନ୍ତି । ଇଣ୍ଡିଆନ ଅଏଲ କମ୍ପାନୀର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିବା ପରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁଦୀପ୍ତ ରାୟ । ସେହିପରି ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଭାରତ ହେଭି ଇଣ୍ଡଷ୍ଟ୍ରିଜ ଲିମିଟେଡ୍- ଭେଲର ସ୍ୱାଧୀନ ନିର୍ଦ୍ଦେଶିକା ଭାବେ ୩ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି ।

ଓଡିଶା ବିଜେପିର ସାଧାରଣ ସଂପାଦିକା ଭାବେ ବର୍ତମାନ କାର୍ଯ୍ୟ କରିଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର । ଦୁଇଦିନ ତଳେ ରାଜ୍ୟ ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କୁ ଏସଇସିଏଲର ନିର୍ଦ୍ଦେଶକ ମଣ୍ଡଳୀରେ ନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଥିଲା । ଦେଶର ବୃହତମ କୋଇଲା ଉତ୍ପାଦନକାରୀ କମ୍ପାନି ସାଉଥ ଇଷ୍ଟର୍ଣ୍ଣ କୋଲଫିଲ୍ଡସ ଲିମିଟେଡ୍ରେ ୩ ବର୍ଷ ପାଇଁ ତାଙ୍କୁ ନିଯୁକ୍ତି ମିଳିଛି । ଏ ସଂପର୍କରେ ଏସଇସିଏଲ ସିଏମଡିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି ।