କନକ ବ୍ୟୁରୋ: ଏକ ସୁସ୍ଥ ପରିବେଶ ପାଇଁ ଗଛ ନିହାତି ଆବଶ୍ୟକ । ଗଛର ଆବଶ୍ୟକତାକୁ ଯିଏ ବୁଝିପାରିଛି ସେ ହିଁ ସୁସ୍ଥ ପରିବେଶ ଗଠନରେ ସହାୟକ ହୋଇପାରିଛି । ଆଉ ସେଭଳି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ବ୍ରହ୍ମପୁରର ସୁଧିର ରାଉତ । ସୁଧିର ୨୦୦୭ ମସିହାରୁ ଗଛ ଲଗାଇବା ଆରମ୍ଭ କରିଥିଲେ । ପ୍ରଥମ ବ୍ରହ୍ମପୁର ସମେତ ଏହାର ଆଖପାଖ ଅଞ୍ଚଳରେ ଗଛ ଲଗାଉଥିବା ବେଳେ ୨୦୧୭ ମସିହାରେ ଲଣ୍ଡା ପାହାଡ଼ରେ ଗଛ ଲଗାଇବା କାର୍ୟ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ସମୟରେ ସୁଧିର ସାତ ବର୍ଷ ମଧ୍ୟରେ ୨୦ଟି ଲଣ୍ଡା ପାହାଡ଼କୁ ସବୁଜ ବନାନୀରେ ପରିବର୍ତ୍ତନ କରିଥିବା ବେଳେ ୨ଟି ଗ୍ରାମ୍ୟ ଜଙ୍ଗଲ ମଧ୍ୟ ସୃଷ୍ଟି କରିପାରିଛନ୍ତି । ତାଙ୍କର ଏଭଳି କାର୍ୟ୍ୟକୁ ଦେଖି ବହୁ ବ୍ୟକ୍ତି ତାଙ୍କୁ ଗଛ ଲଗାଇବା କାର୍ୟ୍ୟରେ ସହାୟତା କରୁଥିବା ବେଳେ ଅନେକ ଯୁବପିଢ଼ି ମାନେ ମଧ୍ୟ ଏବେ ଗଛଲଗାଇବା କାର୍ୟ୍ୟପ୍ରତି ଆଗକୁ ଆସିଛନ୍ତି ।
୧୭ ବର୍ଷ ହେଲା ଗଛ ଲଗାଉଥିବା ସୁଧିର ଗାଁ ଗାଁ ବୁଲି ବୁଲି ଘଣ୍ଟ ବାଡ଼େଇ ଓ ଶଙ୍ଖ ବଜାଇ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଛନ୍ତି । ୨୦୦୭ରେ ପ୍ରଥମେ ଗଛ ଲଗାଇବା ଆରମ୍ଭ କରିଥିଲେ ହେଁ ପ୍ରଥମ ପର୍ୟ୍ୟାୟରେ ନିଜ ଗାଁରେ ୧୦୦ଟି ଗଛ ଲଗାଇଥିଲେ । ପରେ ଆଉ ୩୦୦ ଗଛ ଲଗାଇଲେ । ଫାଇଲିନ୍ ବାତ୍ୟାରେ ଅନେକ ଗଛ ଭାଙ୍ଗି ଯିବା ପରେ ପୁଣି ଥରେ ଗଛ ଗୁଡ଼ିକୁ ଜୀବନ୍ତ କରିଥିଲେ ସୁଧୀର ।
୨୦୧୬ ମସିହାରେ ପିତାତଳି ପଞ୍ଚାୟତରେ ୨୮ ଏକର ଜମିରେ ୧୨ ହଜାରରୁ ଅଧିକ ଗଛ ଲଗାଯାଇଥିବା ବେଳେ ବର୍ତ୍ତମାନ ୧୦ ହଜାରରୁ ଅଧିକ ଗଛ ବଞ୍ଚିଛି । ଏହା ପରେ ସବୁଜ ରଥ, ଦାସକାଠିଆ, ଗାହାଣି ମାଧ୍ୟମରେ ଗାଁ, ଗାଁରେ ଲୋକଙ୍କୁ ସଚେତନ କରାଇଲେ । ଏବେ ତାଙ୍କ ପ୍ରଚେଷ୍ଟାରେ ୨୦ଟି ଲଣ୍ଡା ପାହାଡ଼ରେ ସୃଷ୍ଟି ହୋଇଛି ସବୁଜ ବନାନୀ । ଦୁଇଟି ଗ୍ରାମ୍ୟ ଜଙ୍ଗଲ ମଧ୍ୟ ସୃଷ୍ଟି କରିଛନ୍ତି ସୁଧିର । ଆଗକୁ ୨୧ଟି ଲଣ୍ଡା ପାହାଡ଼ରେ ବନୀକରଣ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ।
ସୁଧିର ରାଉତ ପେଶାରେ ଜଣେ ଶିକ୍ଷକ ହୋଇଥିବା ବେଳେ ନିଶା ତାଙ୍କର ପରିବେଶ ପାଇଁ କାମ କରିବା । ତାଙ୍କର ଏଭଳି କାମରେ ଅନୁପ୍ରାଣିତ ହୋଇ ଅନେକ ଲୋକ, ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀ ମାନେ ତାଙ୍କ ସହ ପରିବେଶ ସୁରକ୍ଷା ଦିଗରେ ସାମିଲ ହୋଇଛନ୍ତି । ସୁଧିରଙ୍କ ସହ ମିଶି ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ସହିତ ସଚେତନତା ମୂଳକ ବାର୍ତ୍ତା ବାଣ୍ଟୁଛନ୍ତି । ପ୍ରତିଦିନ ସକାଳ ୬ଟାରୁ ୧୧ଟା ପର୍ୟ୍ୟନ୍ତ ଗଛ ଲଗାଇବା ସହ ପରିବେଶର ସୁରକ୍ଷା ଦିଗରେ କାମ କରନ୍ତି । ଛାତ୍ରଛାତ୍ରୀ ମାନେ
ତାଙ୍କ ସହ ମିଶି ପାହାଡ଼ ଓ ସମତଳ ଅଞ୍ଚଳରେ ବୁଲି ମଞ୍ଜି ପୋତିବା, ଗଛ ଲଗାଇବା ସହ ସିଡ଼ବଲ ଫିଙ୍ଗି ବନୀକରଣ କରୁଛନ୍ତି ।
ଆଗାମୀ ବଂଶଧରକୁ ବଞ୍ଚାଇବାକୁ ହେଲେ ପରିବେଶ ପାଇଁ କାମ କରିବାକୁ ପଡ଼ିବ । ତେଣୁ ସମସ୍ତେ ଏକତ୍ରିତ ହୋଇ ଅଧିକରୁ ଅଧିକ ବୃକ୍ଷରୋପଣ କଲେ ହିଁ ଆମେ ସୁସ୍ଥ ଓ ସବୁଜ ସମାଜ ଗଠନ ଦିଗରେ ସହାୟକ ହୋଇପାରିବ ବୋଲି କୁହନ୍ତି ସୁଧିର ।